UPI ନେଣ-ଦେଣରେ ମିଳିବ ପ୍ରୋତ୍ସାହନ ରାଶି, ଜାତୀୟ ଗୋକୁଳ ମିଶନ ପାଇଁ ୩୪୦୦ କୋଟି: ଅଶ୍ୱିନୀ ବୈଷ୍ଣବ

Published By : Prameya-News7 Bureau | March 19, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନଟରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିରେ ଭିମ୍ ୟୁପିଆଇରୁ ନେଣ ଦେଣରେ ପ୍ରୋତ୍ସାହନ ରାଶି ଦେବା ଲାଗି ଘୋଷଣା କରାଯାଇଛି । ଏହାସହ ମହାରାଷ୍ଟ୍ରରେ ଜିଏନପିଏ ପୋର୍ଟରୁ ଚୌକ (୨୯.୨୧୯ କି.ମି.) ଯାଏ ଛଅ ଲେନ୍ ଗ୍ରୀନଫିଲ୍ଡ ହାଇ-ସ୍ପିଡ୍ ରାଷ୍ଟ୍ରୀୟ ରାଜମାର୍ଗର ନିର୍ମାମକୁ ମଞ୍ଜୁରି ଦିଆଯାଇଛି । ସେହିପରି କେନ୍ଦ୍ରୀୟ କ୍ୟାବିନେଟ୍ ନୂତନ ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମକୁ ବି ସ୍ୱୀକୃତ ଦେଇଛି । ଆସାମର ନାମରୁପରେ ୟୁରିଆ ଷ୍ଟିଲ୍‌ପ୍ଲାଣ୍ଟ ନିର୍ମାଣକୁ ମଞ୍ଜୁରି ମିଳିଛି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କମ ମଲ୍ୟର BHIM-UPI (P2M) କାରବାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାବିନେଟ୍ ଆଜି ୧,୫୦୦ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛି । କ୍ଷୁଦ୍ର ବ୍ୟବସାୟୀ ବର୍ଗର ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ପ୍ରତି ଟ୍ରାଞ୍ଜେକ୍ସନ ମୂଲ୍ୟର ୦.୧୫% ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ପ୍ରୋତ୍ସାହନ ଯୋଜନା ୨୦୨୫ ଏପ୍ରିଲ୍ ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଯାହାର ଆନୁମାନିକ ବ୍ୟୟ ୧,୫୦୦ କୋଟି ଟଙ୍କା ହେବ ।

ଜାତୀୟ ଗୋକୁଳ ମିଶନ ପାଇଁ ୩୪୦୦ କୋଟି ଟଙ୍କା ମଞ୍ଜୁର 

କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ପାଇଁ ୩୪୦୦ କୋଟି ଟଙ୍କାର ବର୍ଦ୍ଧିତ ଆବଣ୍ଟନ ସହ ସଂଶୋଧିତ ଜାତୀୟ ଗୋକୁଳ ମିଶନକୁ ମଞ୍ଜୁରି ଦେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ସୂଚନା ଦେଇଛନ୍ତି । ସରକାରଙ୍କ ଏହି ମିଶନ କୃତ୍ରିମ ଗର୍ଭଧାରଣ ଏବଂ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ମାଧ୍ୟମରେ କ୍ଷୀର ଉତ୍ପାଦନର ଉତ୍ପାଦକତାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ପଶୁପାଳକଙ୍କୁ ଲାଭ ଦେବ ଏବଂ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ।

୪୫୦୦ କୋଟି ଟଙ୍କା ବିନିଯୋଗରେ ଜାତୀୟ ରାଜପଥ ନିର୍ମାଣ

ଏହା ବ୍ୟତୀତ ଜେଏନପିଏ ବନ୍ଦର (ପାଗୋଟେ)କୁ ମହାରାଷ୍ଟ୍ରର ଚୌକ ସହିତ ସଂଯୋଗ କରିବା ପାଇଁ ଏକ ଛଅ ଲେନ୍ ବିଶିଷ୍ଟ ୨୯.୨୧ କିଲୋମିଟର ଲମ୍ବା ଏକ୍ସପ୍ରେସ୍‌ ୱେ ନିର୍ମାଣକୁ ଅନୁମୋଦନ କରିଛନ୍ତି । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ୪,୫୦୦ କୋଟି ଟଙ୍କା ଅନୁମୋଦନ କରିଛି । ଏକ ସରକାରୀ ବୟାନ ଅନୁଯାୟୀ, ଏହି ପ୍ରକଳ୍ପଟି ମୋଟ ୪,୫୦୦.୬୨ କୋଟି ଟଙ୍କା ବ୍ୟୟରେ BOT ପଦ୍ଧତିରେ ବିକଶିତ ହେବ ।

ୟୁରିଆ ଉପଲବ୍ଧତା ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି

ସେହିପରି କ୍ୟାବିନେଟ୍‌ରେ ଆସାମରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ କର୍ପୋରେସନ୍ ଲିମିଟେଡ୍ (BVFCL)ର ପୂର୍ବ ପରିସରରେ ଏକ ନୂତନ ବ୍ରାଉନ୍‌ଫିଲ୍ଡ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ସାର କାରଖାନା ସ୍ଥାପନକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ ଉତ୍ତର-ପୂର୍ବ ଅଞ୍ଚଳରେ ୟୁରିଆର ଉପଲବ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଏହି ପ୍ଲାଣ୍ଟରୁ ଆସାମ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ମଧ୍ୟ ଲାଭବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.