ଏଜବାଷ୍ଟନ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବ୍ରୁକଙ୍କ ଚେତାବନୀ, ‘ଆମେ କୌଣସି ବି ଟାର୍ଗେଟ୍ ପିଛା କରି ପାରିବୁ’

Published By : Prameya-News7 Bureau | July 05, 2025 IST

ଏଜବାଷ୍ଟନ: ଭାରତ ବିପକ୍ଷ ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ  ଓ ଜେମି ସ୍ମିଥ ଦମଦାର ବ୍ୟାଟିଂ କରିଛନ୍ତି। ବ୍ରୁକ ପ୍ରଥମ ଇନିଂସରେ ୧୭ ଚୌକା ଓ ଏକ ଛକା ଜରିଆରେ ୨୩୪   ବଲ୍‌ରୁ ୧୫୮ ରନ କରିଛନ୍ତି। ବ୍ରୁକ ଏହି ସମୟରେ ଜେମି ସ୍ମିଥଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍‌ ପାଇଁ ୩୦୩ ରନର ପାର୍ଟନରଶିପ କରି ଇଂଲଣ୍ଡକୁ କେବଳ ଫଲୋଅନରୁ ବଞ୍ଚାଇ ନ ଥିଲେ ବରଂ ଦଳକୁ ମ୍ୟାଚ୍‌ରେ ଲଢିବା ପାଇଁ ସ୍କୋର କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବିଶାଳ ଶତକୀୟ ଇନିଂସ ବଳରେ ଇଂଲଣ୍ଡ ୪୦୭ ରନ କରି ପାରିଛି। ଭାରତ ୧୮୦ ରନର ଅଗ୍ରଣୀ ହାସଲ କରିଛି। 

ଏବେ ଶତକବୀର ହ୍ୟାରି ବ୍ରୁକ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି। ବ୍ରୁକଙ୍କ କହିବା କଥା ତାଙ୍କ ଦଳ ଚତୁର୍ଥ ଇନିଂସରେ କୌଣସି ବି ଲକ୍ଷ୍ୟ ପିଛା କରିବାକୁ ସକ୍ଷମ। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ମୋଟ୍ ୨୪୪ ରନ ଅଗ୍ରଣୀ ହାସଲ କରିଛି। ଖବର ଲେଖା ଯିବା ବେଳକୁ ଭାରତ ଚତୁର୍ଥ ଦିନରେ ୨ ଓ୍ଵିକେଟ୍ ହରାଇ ୧୦୯ ରନ କରିଛି ଏବଂ ୨୮୯ ରନ ଅଗ୍ରଣୀ ହାସଲ କରିଛି। ହାତରେ ଆହୁରି ୮ ଓ୍ଵିକେଟ୍ ବାକି ରହିଛି। ଭାରତୀୟ ଦଳ ଯଦି ଦୁଇ କିମ୍ବା ଅଢେଇ ସେସନ ବ୍ୟାଟିଂ କରେ ତେବେ ଇଂଲଣ୍ଡ ସମ୍ମୁଖରେ ପାଖାପାଖି ୫୦୦ ରନର ବିଜୟ ଲକ୍ଷ୍ୟ ରହିପାରେ।

Also read: ଭାରତ ପାଇଁ ସୁନାମ ଆଣିଲେ ଡି. ଗୁକେଶ, ନିଜ ନାଁରେ କଲେ ରାପିଡ୍ ଟାଇଟଲ୍‌

ହ୍ୟାରି ବ୍ରୁକ ବିବିସି ସହ ସ୍ଵତନ୍ତ୍ର ଆଲୋଚନା ବେଳେ କହିଛନ୍ତି, ମୋତେ ଏବେ ବି ଲାଗୁଛି ଆମେ ଏହି ଟେଷ୍ଟ ମ୍ୟାଚ୍ ଜିତି ପାରିବୁ। ସମସ୍ତଙ୍କୁ ଜଣା ଯେ, ଆମେ ଲକ୍ଷ୍ୟ ପିଛା କରିବୁ, ସେ ଯେତେ ରନ ହେଉନା କାହିଁକି। ଜେମି ସ୍ମିଥଙ୍କ ସହ କ୍ରିଜରେ ସମୟ ବିତାଇବା ଦଳ ପାଇଁ ଫାଇଦା ସାବ୍ୟସ୍ତ ହୋଇଛି। ଆଶା କରୁଛି ଆମେ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବୁ। ବ୍ରୁକ ଭାରତୀୟ ବୋଲରଙ୍କ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଆଉଟ୍ ହେବା ସହ ମ୍ୟାଚ୍‌ର ଦିଗ ହିଁ ବଦଳିଗଲା। ଯଦି ମୁଁ ଆଉଟ୍ ହୋଇ ନ ଥାନ୍ତି ତେବେ ଏବେ ଏହି ସ୍ଥିତିରେ ଆମେ ନ ଥାଆନ୍ତୁ। ଭାରତକୁ ଶୀଘ୍ର ଆଉଟ୍ କରିବାକୁ ଚେଷ୍ଟା କରିବୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.