ନୂଆଦିଲ୍ଲୀ ୧୩।୭: ଭାରତର ସ୍ୱଦେଶୀ ପ୍ରତିରକ୍ଷା ବ୍ୟବସ୍ଥା ବିକ୍ରିକୁ ଝଟକା ଲାଗିଛି। ବ୍ରାଜିଲ ଭୂ-ପୃଷ୍ଠରୁ ଶୂନ୍ୟକୁ ନିକ୍ଷେପ ହୋଇପାରୁଥିବା ଆକାଶ ମିଜାଇଲ ପ୍ରଣାଳୀ କ୍ରୟ ଲାଗି ଚଳାଇଥିବା ଆଲୋଚନାକୁ ରୋକି ଦେଇଛି। ରିପୋର୍ଟସ ଅନୁସାରେ ବ୍ରାଜିଲର ଏହି ପଦକ୍ଷେପ ପଛରେ ‘ଆକାଶ’ ମିଜାଇଲର କେତେକ ଗୁରୁତ୍ୱପୂର୍ଣ୍ଣ ଅପରେସନାଲ ପାରାମିଟର୍ସର ଦୁର୍ବଳ ପ୍ରଦର୍ଶନ ବୋଲି କୁହାଯାଇଛି।
ଏବେ ବ୍ରାଜିଲ ୟୁରୋପର ପ୍ରତିରକ୍ଷା ଦିଗ୍ଗଜ ଏମବିଡିଏକୁ ମୁହାଁଇଛି, ଯାହା ଏନହାନ୍ସଡ ମଡ୍ୟୁଲାର ଏୟାରଡିଫେନ୍ସ ସଲ୍ୟୁସନ (ଇଏମଏଡିଏସ) ଯୋଗାଇ ଦେଉଛି। ଏହି ପ୍ରଣାଳୀ ନାଟା ଅନ୍ତର୍ଗତ ଦେଶମାନଙ୍କରେ ପୂର୍ବରୁ ବ୍ୟବହୃତ ହେଉଛି ଓ ଏହାକୁ ବିଶ୍ୱସନୀୟ ମନେ କରାଯାଉଛି। ବ୍ରାଜିଲିୟ ସମ୍ବାଦପତ୍ର ‘ଦି ରିଓ ଟାଇମ୍ସ’ ସୂତ୍ରରୁ ଆସୁଥିବା ରିପୋର୍ଟରେ ବ୍ରାଜିଲ ସେନା ଓ ଏମବିଡିଏ ମଧ୍ୟରେ ଆଲୋଚନା ୧ ବିଲିୟନ ଆମେରିକୀୟ ଡଲାର ଆଖପାଖରେ ଚାଲିଛି। ଏହାକୁ ଲାଟିନ ଆମେରିକୀୟ ଦେଶରେ ଏବେକା ସମୟର ସବୁଠୁ ବଡ଼ ବାୟୁରକ୍ଷା ଡିଲ ଭାବେ ଦେଖା ଯାଉଛି।
ବ୍ରାଜିଲିୟ ମିଡିଆ ରିପୋର୍ଟ ଅନୁସାରେ ବ୍ରାଜିଲ ‘ଆକାଶ’କୁ ହାଇସ୍ପିଡ ଓ ଲୋ ଅଲ୍ଟିଚ୍ୟୁଡ ଟାର୍ଗେଟ ପାଇଁ ଅନୁପଯୁକ୍ତ ମନେ କରୁଛି। ଆଜିକାଲିକା ଯୁଦ୍ଧରେ ଯେତେବେଳେ ହାଇବ୍ରିଡ ୱାରଫେୟାର, ଡ୍ରୋନ ଆକ୍ରମଣ ଓ ସ୍ମାର୍ଟ ବମର ଦ୍ରୁତ ଉପଯୋଗ ହେଉଛି ସେକ୍ଷେତ୍ରରେ ବ୍ରାଜିଲକୁ ଲାଗୁଛି ଏହି ବିପଦର ମୁକାବିଲା ନିମନ୍ତେ ‘ଆକାଶ’ ପର୍ଯ୍ୟାପ୍ତ ନୁହେଁ।
ବ୍ରାଜିଲର ଏହି ନିଷ୍ପତ୍ତି ଭାରତର ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମଲାଗି ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ଆକାଶକୁ ଭାରତ ନିଜର ସବୁଠୁ ସଫଳ ଘରୋଇ ପ୍ରତିରକ୍ଷା ସିଷ୍ଟମ ମଧ୍ୟରୁ ଏକ ବୋଲି ଦାବି କରୁଛି ଓ ଏହାକୁ ଅନ୍ତର୍ଜାତୀୟ ବଜାରରେ ପ୍ରମୋଟ କରୁଛି। ତେବେ ବ୍ରାଜିଲର ଅସନ୍ତୋଷରୁ ଏହା ପ୍ରମାଣିତ ହୋଇଛି ଯେ ବିଦେଶୀ ସେନା ନାଟୋ ମାନକ ସମ୍ପନ୍ନ ଟେକନିକ୍ କୁ ଅଧିକ ବିଶ୍ୱାସଯୋଗ୍ୟ ମନେ କରୁଛନ୍ତି, ଯେତେବେଳେ ଭାରତର ପ୍ରତିରକ୍ଷା ସିଷ୍ଟମକୁ ଏବେବି ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ଆହୁରି ସମୟ ଲାଗିବ ଓ ଅଧିକ କାମ କରିବାକୁ ପଡିବ।