ଗାଦିଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଗୃହବନ୍ଦୀ, ସମର୍ଥନ କଲେ ଟ୍ରମ୍ପ

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ ୦୫/୦୮: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋ ଗୃହବନ୍ଦୀ । ଗୃହବନ୍ଦୀ କରାଇବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୨୦୨୨ ନିର୍ବାଚନରେ ହାରିବା ପରେ କ୍ଷମତାରେ ରହିବା ପାଇଁ ତାଙ୍କ ଉପରେ ବିଦ୍ରୋହ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଆସିଛି । ଘଟଣାକୁ ନେଇ ସମଗ୍ର ଦକ୍ଷିଣ ଆମେରିକାରେ ଚର୍ଚ୍ଚା ହେଉଛି । ବିଶେଷକରି ଯେତେବେଳେ ଆମେରିକା ଓ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ମଧ୍ୟ ତୀବ୍ର ହେଉଛି।

ମାମଲାର ତଦାରଖ କରୁଥିବା ସୁପ୍ରିମକୋର୍ଟ ବିଚାରପତି ଆଲେକଜାଣ୍ଡର ଡି ମୋରେସ୍ ତାଙ୍କ ଆଦେଶରେ କହିଛନ୍ତି ଯେ ୭୦ ବର୍ଷୀୟ ବୋଲସୋନାରୋ କୋର୍ଟ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି। ସେ ତାଙ୍କର ତିନି ସାଂସଦ ପୁଅଙ୍କ ଆକାଉଣ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ବିଷୟବସ୍ତୁ ପୋଷ୍ଟ କରିଥିଲେ । ଯାହା ନିୟମ ବିରୋଧରେ ଥିଲା। ରବିବାର, ବୋଲସୋନାରୋ ତାଙ୍କ ପୁଅ ଓ ସିନେଟର ଫ୍ଲାଭିଓ ବୋଲସୋନାରୋଙ୍କ ମୋବାଇଲ୍ ଫୋନ୍ ରୁ ରିଓ ଡି ଜେନେରିଓରେ ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ।

ଏବେ ଏହି ମାମଲା ଆହୁରି ଚର୍ଚ୍ଚାକୁ ଆସିଛି କାରଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଜିଲରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ 50% ଶୁଳ୍କ ଲାଗୁ କରିବା ପାଇଁ ବୋଲସୋନାରୋଙ୍କ ବିରୁଦ୍ଧରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟାକୁ ସିଧାସଳଖ ଦାୟୀ କରିଛନ୍ତି। ସେପଟେ ବୋଲସୋନାରୋଙ୍କୁ ସପୋର୍ଟ କରିଛନ୍ତି ଟ୍ରମ୍ପ । କାରଣ ଟ୍ରମ୍ପଙ୍କୁ ତାଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେ ଏହି ମାମଲାକୁ "ୱିଚ୍ ହଣ୍ଟ" ବୋଲି କହିଛନ୍ତି । ଯାହା ବ୍ରାଜିଲ ରାଜନୀତିରେ ଜାତୀୟତାବାଦୀ ପ୍ରତିକ୍ରିୟାକୁ ଆହୁରି ତୀବ୍ର କରିଛି।

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ସମେତ ସମସ୍ତ ପ୍ରମୁଖ ନେତା ଏହା ଉପରେ ଖୋଲାଖୋଲି ଭାବରେ କଥା ହେଉଛନ୍ତି । ବୋଲସୋନାରୋଙ୍କ ବିରୋଧରେ ଚାଲିଥିବା ମାମଲାରେ, ସେ ଏକ ଅପରାଧୀ ସଂଗଠନର ନେତୃତ୍ୱ ନେଇଥିବା ଅଭିଯୋଗ ହୋଇଛି ଯାହା ନିର୍ବାଚନ ଫଳାଫଳକୁ ଓଲଟାଇ ଦେବା ପାଇଁ ଯୋଜନା କରିଥିଲା। ଏହା ମଧ୍ୟ କୁହାଯାଉଛି ଯେ ରାଷ୍ଟ୍ରପତି ଲୁଲା ଏବଂ ଜଷ୍ଟିସ୍ ଡି ମୋରେସଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.