ଚାଷୀ ପଞ୍ଜିକରଣ ସମୟରେ ଥାଇଲାଣ୍ଡ୍‌ ବୁଲିଲେ, ସସ୍‌ପେଣ୍ଡ ହେଲେ ବୌଦ୍ଧ ଜିଲ୍ଲା ଡିଆରସିଏସ୍

Published By : Prameya-News7 Bureau | August 21, 2025 IST

NEWS UPDATE

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍) ଗିରିଶ ଚନ୍ଦ୍ର ପୁରୋହିତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ବିନା ଅନୁମତିରେ ବୁଲିବାକୁ ଥାଇଲାଣ୍ଡ ଗସ୍ତରେ ଯାଇଥିବା ଅଭିଯୋଗରେ ତାଙ୍କୁ ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟରେ ଭୁବନେଶ୍ଵର ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ଵାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।  

ସୂଚନାଯୋଗ୍ୟ, ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ଅସୁସ୍ଥତା ଦେଖାଇ ୬ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ସମ୍ପାଦକ ଏବଂ ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍)  ୮ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ । ମାତ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରୁ ଜଣାପଡ଼ିଥିଲା ଯେ, ସେମାନେ ଅସୁସ୍ଥ ନଥିଲେ ବରଂ ଥାଇଲାଣ୍ଡ ବୁଲିବା ପାଇଁ ଯାଇଥିଲେ ।  

ଏହି ଘଟଣାରେ ପୂର୍ବରୁ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧର ପାକ୍ସ ସମ୍ପାଦକ ଦେବାଶିଷ ମିଶ୍ର, ଲୁଣିବାହଲ ପାକ୍ସ ସମ୍ପାଦକ ସଂଜୀବ କୁମାର ପ୍ରଧାନ, ବୌଦ୍ଧ ପାକ୍ସ ସମ୍ପାଦକ ସତ୍ୟଜିତ କର ନିଲମ୍ବିତ ହୋଇଥିଲେ । ସେହିପରି ସୋନପୁର ଜିଲ୍ଲାର ଲଛିପୁର ପାକ୍ସ ସମ୍ପାଦକ ମଞ୍ଜୟ ଧରୁଆ, ମୟୁରଉଡାନ ପାକ୍ସ ସମ୍ପାଦକ ଧନେଶ୍ଵର ସାହୁ, ରେଙ୍ଗାଲି ପାକ୍ସ ସମ୍ପାଦକ ଅର୍ଜୁନ ପୂଜାରୀ ଏହି ଘଟଣାରେ ନିଲମ୍ବିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.