ଜଳେଶ୍ବର ୨।୭: ଲଘୁଚାପ ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡ ରାଞ୍ଚି ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେଉଛି । ଫଳରେ ସୁବର୍ଣ୍ଣରେଖା ନଦୀରେ ଦ୍ଵିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପର ମୁଣ୍ଡରେ ଗାଲୁଡ଼ିହି ବ୍ୟାରେଜରୁ ଜଳ ଛଡାଯାଇଥିବାରୁ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ଜଳସ୍ତର ବଢିବାକୁ ଲାଗିଛି । ତେବେ ବାଲେଶ୍ବର ଜିଲ୍ଲା ବିଷ୍ଣୁପୁର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ବିଷ୍ଣୁପୁର ଗାଁର ରାକେଶ ସିଂ ବୋଲି ଜଣାପଡିଛି । ଗତ ମଙ୍ଗଳବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଥିଲେ ରାକେଶ । ତାଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ ।
ସେପଟେ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ବନ୍ୟାପାଣି ପ୍ରବାହିତ ହେଉଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ଦୀର୍ଘ ତିନି ଦିନ ହେବ ପାଣି ଘେରରେ ରହିଛି ବାଲିଆପାଳ ବ୍ଲକ୍ର ୬ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ, ଘର ଓଳିତଳେ ବନ୍ୟାପାଣି ଲହଡି ଭାଙ୍ଗୁଛି । ରାସ୍ତା ଉପରେ କେଉଁଠି ୪ ଫୁଟ ତ ଆଉ କେଉଁଠି ୫ ଫୁଟର ପାଣି ପ୍ରବାହିତ ହେଉଛି ।
ଲୋକମାନେ ଯିବା ଆସିବା ପାଇଁ ହାତ ଡ଼ଙ୍ଗା କିମ୍ବା ଯନ୍ତ୍ରଚାଳିତ ବୋଟ୍ ଉପରେ ନିର୍ଭର କରୁଛନ୍ତି, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଆଡ଼େ ଚାହିଁବେ ଖାଲି ପାଣି ହିଁ ପାଣି, ଗାଁ ଗୁଡିକ ସତେ ଯେମିତି ସମୁଦ୍ର ମଧ୍ୟରେ ଏକ ଦ୍ୱୀପ ସଦୃଶ । ବନ୍ୟା ପ୍ରବାହିତଙ୍କ ନିକଟରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରିନାହିଁ କି ଶୁଖିଲା ଖାଦ୍ୟ କି ପିଇବା ପାଣି ପହଞ୍ଚି ନାହିଁ, ଦୀର୍ଘ ଦିନ ବନ୍ୟା ପାଣି ଜମି ରହିବାରୁ ପରିବା ଚାଷ, ଧାନ ତଳି ପଚି ନଷ୍ଟ ହେବାକୁ ବସିଲାଣି ।
You Can Read:
ବୃଦ୍ଧାଙ୍କୁ କୋଦାଳରେ ହାଣି ନିର୍ମମ ହତ୍ୟା, ୬ ବର୍ଷ ତଳେ ହତ୍ୟାର ଶିକାର ହୋଇଥିଲେ ସ୍ବାମୀ