କଳାହାଣ୍ଡି ୦୯/୦୬: କେରଳ ଦାଦନ ଖଟିବାକୁ ଗଲେ ବ୍ଲକ ମାଟ୍ରିକ ଟପର l ପରିବାରର ଆର୍ଥିକ ଅନଟନ, ଗରିବୀ ସଜାଇଛି ତାଙ୍କୁ ଜଣେ ଦାଦନ ଶ୍ରମିକ l ଦଶମ ବୋର୍ଡ ପରୀକ୍ଷାରେ A2 ଗ୍ରେଡ଼ରେ ପାସ ହୋଇ ସମଗ୍ର ବ୍ଲକକୁ ସେ ଗୌରବନୀତ କରିଥିଲେ । ହେଲେ କଲେଜରେ ନାମ ଲେଖା ପାଇଁ ଟଙ୍କା ଯୋଗାଡ଼ ପାଇଁ କେରଳ ଦାଦନ ଖଟିବାକୁ ଯାଇଛନ୍ତି ଜଣେ ବ୍ଲକ ଟପ୍ପର । ଏହିଭଳି ଗୋଟିଏ ଦୁଖଦଃ ଏବଂ ପରୀତାପର ଘଟଣା ସାମ୍ନାକୁ ଆସିଛି ।
ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଧପାରି ପଞ୍ଚାୟତ ଟିମନବାଡ଼ି ଗାଁ ତଥା ବିଶ୍ଵନାଥପୁର ହାଇସ୍କୁଲ ଛାତ୍ର ସୁରଜ ନାଗ । ଦଶମ ପରୀକ୍ଷାରେ ୪୯୮ ମାର୍କ ରଖି ଲାଞ୍ଜିଗଡ ବ୍ଲକ ଟପ୍ପର ହୋଇଥିଲେ । ତାଙ୍କର ଏହି ସଫଳତାକୁ ନେଇ ଗାଁ ଲୋକେ ସ୍କୁଲ କର୍ତ୍ତୃପକ୍ଷ ଅଞ୍ଚଳ ବାସୀ ବେଶ ଖୁସି ଜାହିର କରିଥିଲେ । ବ୍ଲକ ଟପ୍ପର ମାନଙ୍କୁ ସମର୍ଦ୍ଧନା ପାଇଁ ସଭା ଆୟୋଜନ କରା ଯାଇଥିଲା । ହେଲେ ଏହି ସମର୍ଦ୍ଧନା ସଭାରେ ବ୍ଲକ ଟପ୍ପର ନିଜେ ଉପସ୍ଥିତ ହୋଇ ପାରିନଥିଲେ । ପରେ ଜଣା ପଡିଥିଲା କି ସୁରଜ ଦାଦନ ଖଟିବା ପାଇଁ କେରଳ ଯାଇଥିବା ଜଣା ପଡିଥିଲା ।
ସୁରଜ ବର୍ତ୍ତମାନ କେରଳ ରାଜ୍ୟ ଆଲୁଭା ନିକଟସ୍ଥ ଏକ ପଥର କ୍ରସରରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ପରିବାର ଗରିବ ଆର୍ଥିକ ଅନଟନ ପାଇଁ ଜଣେ ମେଧାବୀ ଛାତ୍ର ଦାଦନ ଯିବା ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି । ତେବେ ଦାଦନ ଯାଇଥିବା ମେଧାବୀ ଛାତ୍ରଙ୍କୁ ଉଦ୍ଧାର କରି ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର, ପ୍ରଶାସନ କିମ୍ବା ଘରୋଇ ଶିକ୍ଷାନୁଷ୍ଠାନ ଆଗେଇ ଆସିବାକୁ ଦାବି ହେଉଛି ।