ଟି-ରାଜା ସିଂହଙ୍କ ଇସ୍ଥଫା ଗ୍ରହଣ କଲା ବିଜେପି: କହିଲା, ବିଧାୟକଙ୍କ ଦାବି ଅପ୍ରାସଙ୍ଗିକ

Published By : Prameya-News7 Bureau | July 11, 2025 IST

the internet

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ବିଜେପିର ଫାୟାରବ୍ରାଣ୍ଡ୍ ନେତା ତଥା ତେଲେଙ୍ଗାନା ବିଧାୟକ ଟି-ରାଜା ସିଂହ ଙ୍କ ଇସ୍ତଫାକୁ ଗ୍ରହଣ କଲା ଦଳ। ରାଜା ସିଂହ ନିକଟରେ ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ। ଏହାର କଡ଼ା ଜବାବ ଦେଇ ବିଜେପି ସିଂହଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା। ଏବଂ ତାଙ୍କ ଅଭିଯୋଗ ଏହାକୁ ଅପ୍ରାସଙ୍ଗିକ ଓ ଦଳର ମୂଲ୍ୟବୋଧରୁ ବାହାରେ ବୋଲି ବିଜେପି କହିଥିଲା। ଶୁକ୍ରବାର ତେଲେଙ୍ଗାନା ବିଜେପି ଟି.ରାଜାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି।

ବିଜେପିର ନୂଆ ତେଲେଙ୍ଗାନା ସଭାପତି ଭାବରେ ରାମଚନ୍ଦ୍ର ରାଓଙ୍କ ସମ୍ଭାବ୍ୟ ନିଯୁକ୍ତି ଉପରେ ରାଜା ସିଂହ ନିଜର କ୍ରୋଧ ପ୍ରକାଶ କରିଥିଲେ। ଏନେଇ ଜୁନ୍ ୩୦ ତାରିଖରେ ସେ ତତ୍କାଳୀନ ରାଜ୍ୟ ସଭାପତି ଜି କିଶନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ଦଳର ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କୁ ଆଘାତ ଏବଂ ନିରାଶ କରିଛି। ଏହି ଚିଠିକୁ ତାଙ୍କର ଇସ୍ତଫାପତ୍ର ବୋଲି ବିବେଚନା କରାଯିବା ଉଚିତ ବୋଲି ରାଜା ଲେଖିଥିଲେ।।

ଦଳ ପକ୍ଷରୁ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ରାଜା ସିଂହଙ୍କୁ ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ବିଧାୟକଙ୍କ ଚିଠି ବିଷୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଯାଇଛି। ଅରୁଣ ରାଜାଙ୍କୁ ଉତ୍ତର ଦେଇ ଲେଖିଛନ୍ତି ଯେ ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବିଷୟବସ୍ତୁ ଅପ୍ରାସଙ୍ଗିକ ଏବଂ ଦଳର କାର୍ଯ୍ୟକାରିତା, ବିଚାରଧାରା ଏବଂ ନୀତି ସହିତ ମେଳ ଖାଉନାହିଁ। ତେଣୁ ନଡ୍ଡାଙ୍କ ନିର୍ଦ୍ଦେଶ ଆଧାରରେ, ରାଜା ସିଂହଙ୍କ ଇସ୍ତଫା ତୁରନ୍ତ ଗ୍ରହଣ କରାଯାଇଛି ବୋଲି ଅରୁଣ ସିଂହ ସୂଚନା ଦେଇଛନ୍ତି।

ରାଜା ସିଂହ ତାଙ୍କର ବିବାଦୀୟ ଏବଂ ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ଦେଶରେ ଜଣାଶୁଣା। ତାଙ୍କର ଇସ୍ତଫା ବିଜେପିର ତେଲେଙ୍ଗାନା ୟୁନିଟ୍ ଭିତରେ ଆଭ୍ୟନ୍ତରୀଣ ମତଭେଦକୁ ପଦାରେ ପକାଇଛି। ତଥାପି, ଟି-ରାଜାଙ୍କ ପ୍ରତି ନରମ ମନୋଭାବ ଦେଖାଇ ନାହିଁ କି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାର କୌଣସି ସଙ୍କେତ ଦେଖାଉନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.