ନୂଆଦିଲ୍ଲୀ: ଦେଶର ଯୁବକଙ୍କୁ ରୋଜଗାର କ୍ଷମ ତଥା ସେମାନଙ୍କର ଶିଳ୍ପ ଦକ୍ଷତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ୧ ହଜାର ଆଇଟିଆଇକୁ ଅପଗ୍ରେଡ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନେତୃତ୍ବରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ, ଏଥିରେ ସରକାର ଆଗାମୀ ପାଞ୍ଚ ବର୍ଷରେ ୨ କୋଟି ଯୁବକଙ୍କୁ ଟ୍ରେନିଂ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଯୋଜନାରେ ସାମିଲ ହେବା ପାଇଁ ଅନେକ ବଡ଼ ଭାରତୀୟ ଏବଂ ବିଦେଶୀ କମ୍ପାନି ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏପର୍ଯ୍ୟନ୍ତ ୧୨ରୁ ଅଧିକ କମ୍ପାନି ଏଥିପାଇଁ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି। ଯେଉଁଥିରେ ୮ ପ୍ରମୁଖ କମ୍ପାନି ରିଲାଏନ୍ସ ଗ୍ରୁପ୍, ଆଦାନୀ ଗ୍ରୁପ୍, ମହିନ୍ଦ୍ରା ଗ୍ରୁପ୍, ଜେକେ ସିମେଣ୍ଟ, ଜିନ୍ଦଲ ଗ୍ରୁପ୍, ଟୋୟୋଟା ଇଣ୍ଡିଆ, ଶ୍ନାଇଡର ଇଲେକ୍ଟ୍ରିକ ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ରହିଛନ୍ତି। ଏହି ସହଭାଗିତା ଦ୍ବାରା ‘ହବ୍ ଆଣ୍ଡ୍ ସ୍ପୋକ୍’ ଆଇଟିଆଇ ସେଟଅପ୍ କରାଯିବ। ଯେଉଁଠାରେ ଶିଳ୍ପ ଆଧାରିତ ଟ୍ରେନିଂ ଦିଆଯିବ।
କ’ଣ ଏହି ହବ୍ ଆଣ୍ଡ୍ ସ୍ପୋକ୍ ମଡେଲ ?
ଏହି ମଡେଲରେ କିଛି ବଡ଼ ଆଇଟିଆଇକୁ ‘ହବ୍’ କରାଯିବ, ଯେଉଁଠାରେ ଅତ୍ୟାଧୁନିକ ଟ୍ରେନିଂ ଏବଂ ସୁବିଧା ମିଳିବ। ସେହିଭଳି ଛୋଟ ଆଇଟିଆଇ ଏହି ହବ୍ ସହ ଯୋଡ଼ିହେବେ ଏବଂ ସେମାନଙ୍କୁ ‘ସ୍ପୋକ’ କୁହାଯିବ। ଏହାଦ୍ବାରା ସବୁ କ୍ଷେତ୍ରରେ ଉତ୍ତମ ଏବଂ ଏକାଭଳି କ୍ବାଲିଟି ଥିବା ଟ୍ରେନିଂ ଦିଆଯାଇପାରିବ। ଯାହା ସ୍ଥାନୀୟ ଉଦ୍ୟୋଗର ଆବଶ୍ୟକତା ଅନୁସାରେ ହେବ।
ଜେକେ ସିମେଣ୍ଟ ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ କନଷ୍ଟ୍ରକ୍ସନ, ଇଲେକ୍ଟ୍ରୋନିକ୍ସ, ନବୀକରଣ ଯୋଗ୍ୟ ଏବଂ ହସ୍ପିଟାଲିଟି ଭଳି କ୍ଷେତ୍ରରେ ଟ୍ରେନିଂ ଦେବେ। ରିଲାଏନ୍ସ ଗ୍ରୁପ୍ ମହାରାଷ୍ଟ୍ର, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରେ ରିନ୍ୟୁଏବଲ ଏନର୍ଜୀ, ଆଡଭାନ୍ସ ମ୍ୟାନୁଫାକଚରିଂ, ରିଟେଲ ଏବଂ ପେଟ୍ରୋକେମିକାଲ ଇଞ୍ଜିନିୟରିଂରେ ଟ୍ରେନିଂ ଦେବ।
L&T ବଜାଜ ଅଟୋ BHEL ସହ ମଧ୍ୟ କଥାବାର୍ତ୍ତା ଜାରି
ଏହା ବାଦ ଲାର୍ସେନ ଆଣ୍ଡ୍ ଟୁବ୍ରୋ (L&T), ବଜାଜ ଅଟୋ, ଆଦିତ୍ୟ ବିରଲା ଗ୍ରୁପ୍ ଏବଂ କିଛି ସରକାରୀ କମ୍ପାନି ଯେପରି ବିଏଚଇଏଲ, ମଝଗାଁଓ ଡକ ସିପବିଲଡର୍ସ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ (HAL) ସହ ମଧ୍ୟ ସରକାର କଥାବାର୍ତ୍ତା ଜାରି ରଖିଛନ୍ତି।