ଭଦ୍ରକ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଉପରେ ପ୍ରତିକ୍ରିୟାଶୀଳ ହୋଇଛି ଓଏଏସ ସଂଘ । ଏହି ଆକ୍ରମଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଓଏଏସ ଏବଂ ORS ସଂଘ ତୀବ୍ର ନିନ୍ଦା କରିବା ସହିତ ଆନ୍ଦୋଳନ ଆରମ୍ଭ କରିଛନ୍ତି। ORS ସଂଘ ମଧ୍ୟ ଓଏଏସ ସଂଘକୁ ସମର୍ଥନ ଜଣାଇଛି। ଏହି କ୍ରମରେ ଭଦ୍ରକ ଜିଲ୍ଲା ଓଏଏସ ଏବଂ ORS ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଓଏଏସ ସଂଘର ରାଜ୍ୟ ଉପସଭାପତି ଶାନ୍ତନୁ କୁମାର ମହାନ୍ତି ଏବଂ ଜିଲ୍ଲା ସଭାପତି ରବି ନାରାୟଣ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ OAS ଏବଂ ORS ଅଫିସର ମାନେ ଏକତ୍ରିତ ହୋଇ କଳା ବ୍ୟାଚ ପିନ୍ଧି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ଜିଲ୍ଲାର ସବୁ ଓଏଏସ ଅଧିକାରୀ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ଦାବିପତ୍ରରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଅଫିସରମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା କଥା କୁହାଯାଇଛି। ଏହା ସହ ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଜିଲ୍ଲାପାଳ ସେମାନଙ୍କ ଦାବି ପତ୍ର କୁ ଗ୍ରହଣ କରିଛନ୍ତି ଏବଂ କାର୍ଯ୍ୟ ରେ ଯୋଗ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
OAS ସଂଘର ରାଜ୍ୟ ସଭାପତି କହିଛନ୍ତି ରାଜ୍ୟ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କିନ୍ତୁ ଲିଖିତ ଭାବେ ଆମକୁ ଅବଗତ କରାଯାଇ ନାହିଁ। ତେଣୁ ରାଜ୍ୟ ସଂଘର ମୌଖିକ କଥାରେ ଆମେ ସନ୍ତୁଷ୍ଟ ନୁହେଁ ତେଣୁ ଆମେ ସାମୂହିକ ଛୁଟିରେ ରହିବୁ। ରାଜ୍ୟ ଉପସଭାପତି ଶାନ୍ତନୁ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ୫ ଜଣଙ୍କ ଉପରେ ନିଲମ୍ବନ ଆଦେଶରେ ଆମେ ସନ୍ତୁଷ୍ଟ ନୁହେଁ । ବହିଷ୍କାର କରିବା ସହ କଡ଼ା ଦଣ୍ଡ ଦିଅନ୍ତୁ।