ମିଳିଲା ବାସବ ରାଜର ଡାୟେରୀ, ସାଥୀମାନଙ୍କୁ ଦେଇଥିଲା DRGଙ୍କଠୁ ପଳାୟନ ପରାମର୍ଶ

Published By : Prameya-News7 Bureau | May 23, 2025 IST

ବିଜାପୁର୨୩।୫: ଅବୁଝମାଡ଼ ଏନକାଉଣ୍ଟରରେ ନିହତ ନକ୍ସଲ ମୁଖ୍ୟ ବାସବ ରାଜୁର ଡାୟେରୀ ସୁରକ୍ଷା ବଳଙ୍କୁ ମିଳିଛି। ଏହି ଡାୟେରୀରୁ ନକ୍ସଲମାନେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଜବାନଙ୍କୁ କେତେ ଭୟ କରନ୍ତି ତାର ପ୍ରମାଣ ମିଳିଛି। ଡାୟେରୀର ଏକ ପୃଷ୍ଠାରେ ବାସବ ରାଜୁ ତାର ନକ୍ସଲ ସାଥୀମାନଙ୍କୁ ଡିଆରଜି ଜବାନଙ୍କଠୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଥିବା ଦେଖାଯାଇଛି। ଏନକାଉଣ୍ଟର ସ୍ଥଳରୁ ଜବତ ଡାୟେରୀରେ ନକ୍ସଲ ନେତା ନିଜ ସାଥୀଙ୍କ ନାମରେ ବାର୍ତ୍ତା ଦେଇ ଯିଏ ଯେଉଁଠି ବି ଅଛ ଲୁଚି ଯାଅ..ବୋଲି ଲେଖିଛନ୍ତି। 

ପୋଲିସ ସୂତ୍ରରୁ ମିଳିଥିବା ଡାୟେରୀର ଛବିରୁ ଲାଲ ରଙ୍ଗର ପେନରେ ଲେଖାଯାଇଥିବା ବାର୍ତ୍ତାକୁ ସ୍ପଷ୍ଟ ରୂପେ ପଢାଯାଇ ପାରୁଛି। ବାସବ ରାଜୁଙ୍କ ଏହି ବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ନକ୍ସଲମାନେ ଡିଆରଜି ଜବାନଙ୍କୁ ଭୟ କରୁଛନ୍ତି। ବସ୍ତରରେ ନକ୍ସଲଙ୍କ ମୁକାବିଲା ପାଇଁ ଡିଆରଜି ସହିତ ସିଆରପିଏଫ, ଏସଟିଏଫ, ବିଏସଏଫ, ବସ୍ତର ବଟାଲିୟନ ଓ ବସ୍ତର ଫାଇଟରଙ୍କ ଟିମ୍‌ ମଧ୍ୟ ଅଛନ୍ତି। ହେଲେ ନକ୍ସଲଙ୍କ ଭୟ କେବଳ ଡିଆରଜିଙ୍କୁ। 

ଡିଆରଜିରେ ସେହିମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ଅତୀତରେ ନକ୍ସଲଙ୍କ ସହ କାମ କରୁଥିଲେ। ଏମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବକ ମଧ୍ୟ ରହୁଛନ୍ତି, ଯେଉଁମାନେ ସ୍ଥାନୀୟ ଭାଷା ଓ ଭୌଗଳିକ ପରିସ୍ଥିତି ସମ୍ପର୍କରେ ଅଭିଜ୍ଞ। ଡିଆରଜିକୁ ଏହି ଲୋକଙ୍କ ଦ୍ୱାରା ଏଥିପାଇଁ ଗଠନ କରାଯାଇଥିଲା ଯେ ସେମାନେ ନକ୍ସଲ ନେଟୱାର୍କକୁ ଧ୍ୱଂସ୍ତ କରିପାରିବେ। ଡିଆରଜି ଗଠନ କାଳରେ ନକ୍ସଲଙ୍କ ନେଟୱାର୍କ ବସ୍ତରର ଗାଁ ଗାଁ ଓ ଗଳିଗଳିରେ ଥିଲା। କେଉଁଠାରେ କିଛି ବି ହେଉଥିଲେ ଏହାର ଖବର ତୁରନ୍ତ ନକ୍ସଲଙ୍କ ନିକଟକୁ ପହଞ୍ଚି ଯାଉଥିଲା। 

ଏଭଳି ପରିସ୍ଥିତିରେ ତତ୍କାଳୀନ ରାଜ୍ୟ ସରକାର ଡିଆରଜିର ଗଠନ କରିଥିଲେ। ଏହାର ଗଠନ ସର୍ବପ୍ରଥମେ ନାରାୟଣପୁରରେ ୨୦୦୮ ମସିହାରେ ହୋଇଥିଲା। ଏହାପରେ ଏଥିରେ ଆହୁରି ଜବାନଙ୍କୁ ଭର୍ତ୍ତି କରାଯାଇଥିଲା। ଶେଷଥର ୨୦୧୩ ମସିହାରେ ସୁକମା, ଦାନ୍ତେୱାଡା ଓ ବିଜାପୂରରେ ରିକ୍ରୁଇଟମେଣ୍ଟ କରାଯାଇଥିଲା। ଏହି ଫୋର୍ସରେ କେବଳ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି କରାଯାଇଥିଲା। ଏଥିରେ ସରେଣ୍ଡର କରିସାରିଥିବା ନକ୍ସଲଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଏ। ବର୍ତ୍ତମାନ ଡିଆରଜିରେ ପ୍ରାୟ ୨ ହଜାର ଜବାନ ଅଛନ୍ତି। ଏମାନେ ବିଭିନ୍ନ ଜଙ୍ଗଲରେ ଲଗାତାର ନକ୍ସଲଙ୍କ ତଲାସ କରୁଛନ୍ତି ଓ କୌଣସି ଠାରେ ଏନକାଉଣ୍ଟର ହେଲେ ଅଗ୍ରୀମ ମୋର୍ଚ୍ଚାରେ ରହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.