ସ୍ୱାଧୀନତା ସଂଗ୍ରାମୀଙ୍କ ପରି ହସିନା ବିରୋଧୀ ଆନ୍ଦୋଳନକାରୀଙ୍କ ପାଇଁ ଆୟକର କୋହଳ କଲେ ୟୁନୁସ ସରକାର

Published By : Prameya-News7 Bureau | June 02, 2025 IST

indiatoday

ଢାକା: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଦେଶରେ ଶେଖ ହସିନାଙ୍କ ବିରୁଦ୍ଧରେ ଲୋକଙ୍କ ମନରେ ଘୃଣା ସୃଷ୍ଟି କରିବାରେ କୌଣସି ସୁଯୋଗ ଛାଡ଼ୁ ନାହାନ୍ତି। ହସିନାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେବା ସହିତ ତାଙ୍କୁ ବିତାଡ଼ିତ କରିବାରେ ସାହାଯ୍ୟ କରିଥିବା ଆନ୍ଦୋଳନକାରୀଙ୍କ ପାଇଁ ୟୁନୁସ ସରକାର ଆୟକର କୋହଳ କରିଛନ୍ତି। କେବଳ ସେତିକି ନୁହେଁ, ଆହତ ପ୍ରଦର୍ଶନକାରୀଙ୍କୁ 'ଜୁଲାଇ ଯୋଦ୍ଧା' ଭାବରେ ମାନ୍ୟତା ଦେଇଛନ୍ତି। 

ୟୁନୁସ ସରକାରରେ ଶେଖ ହସିନାଙ୍କୁ ଦେଶରୁ ତଡ଼ିବା ଯେଉଁମାନେ ଆନ୍ଦୋଳନ କରିଥିଲେ ସେମାନଙ୍କର ୨ ବର୍ଷ ପାଇଁ ଆୟକର କୋହଳ କରାଯାଇଛି। ୫.୨୫ ଲକ୍ଷ ଟାକା ପର୍ଯ୍ୟନ୍ତ ରୋଜଗାର କରୁଥିବା ଆନ୍ଦୋଳନକାରୀ ମାତ୍ର ୨ ବର୍ଷ ପାଇଁ ଆୟ କର କୋହଳର ସୁବିଧା ପାଇ ପାରିବେ। ଏଭଳି କରି ୟୁନୁସ ସରକାର ସେହି ଆନ୍ଦୋଳନକାରୀଙ୍କୁ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀ ସହ ତୁଳନା କରିଚନ୍ତି। ପାକିସ୍ତାନ ଅତ୍ୟାଚାର ବିରୁଦ୍ଧରେ ଲଢ଼ି ୧୯୭୧ ମସିହାରେ ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ବାଂଲାଦେଶରେ ଏହି ସୁବିଧା ଦିଆଯାଉଛି। 

ସୋମବାର ବାଂଲାଦେଶ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦଙ୍କ ଦ୍ୱାରା ଉପସ୍ଥାପିତ ପ୍ରଥମ ବଜେଟରେ ଟିକସ ରିହାତି ଘୋଷଣା କରାଯାଇଛି। ଶେଖ୍‌ ହସିନାଙ୍କୁ ବିତାଡ଼ିତ କରିବା ପରେ ବଂଲାଦେଶରେ ଏହା ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। 

ଜୁଲାଇ ବିଦ୍ରୋହରେ ସହିଦ ଏବଂ ଆହତଙ୍କ ପରିବାରର ପୁନର୍ବାସ ଏବଂ କଲ୍ୟାଣ ପାଇଁ ବଜେଟରେ ୪୦୫.୨୦ କୋଟି ଟାକା ବ୍ୟୟବରାଦ କରାଯାଇଛି। ବାଂଲାଦେଶର ଅର୍ଥ ପରାମର୍ଶଦାତା ତାଙ୍କ ବଜେଟ୍ ଭାଷଣରେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଜୁଲାଇରେ ହୋଇଥିବା ପ୍ରତିବାଦରେ ମୃତ କିମ୍ବା ଆହତଙ୍କ ପରିବାରକୁ ଆର୍ଥିକ ଭତ୍ତା ପ୍ରଦାନ କରିବା ପାଇଁ ଖୁବ୍ ଶୀଘ୍ର ଏକ ନୀତି ପ୍ରଚଳନ କରାଯିବ।

ଏହା ସହିତ, ୟୁନୁସ୍ ସରକାର "ଆନ୍ଦୋଳନର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଆହତ ଏବଂ ସେମାନଙ୍କ ପରିବାର ପାଇଁ ଚିକିତ୍ସା ଏବଂ ପୁନର୍ବାସ ପ୍ରୟାସ ତଦାରଖ କରିବା ପାଇଁ ଜୁଲାଇ ଗଣ ବିଦ୍ରୋହ ନିର୍ଦ୍ଦେଶାଳୟ" ପ୍ରତିଷ୍ଠା କରିଛନ୍ତି ବୋଲି ଢାକା ସ୍ଥିତ ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ କରିଛି।

ପଢନ୍ତୁ- ନିଜ ଘର ସମ୍ଭାଳି ପାରୁନି ପାକିସ୍ତାନ ! ବଲୁଚିସ୍ତାନ ଅଶାନ୍ତି ପାଇଁ ଭାରତକୁ କଲା ଦାୟୀ

ଢାକା ଟ୍ରିବ୍ୟୁନର ପୋର୍ଟାଲରେ ପ୍ରକାଶିତ ରିପୋର୍ଟ କରାଯାଇଛି ଯେ "ସରକାର ଦ୍ୱାରା 'ଜୁଲାଇ ଯୋଦ୍ଧା' ନାମକ ଏକ ନୂଆ ବ୍ୟକ୍ତିଗତ ଆୟକର ବର୍ଗ ପ୍ରଚଳନ କରାଯାଇଛି। ଯେଉଁଥିରେ ୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ କରି ଦୁଇ ବର୍ଷ ପାଇଁ ୫,୨୫,୦୦୦ ଟାକା ପର୍ଯ୍ୟନ୍ତ ଆୟ ଉପରେ ଟିକସ ରିହାତି ପ୍ରଦାନ କରାଯାଉଛି।" ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୧୯୭୧ ଯୁଦ୍ଧରେ ଆହତ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ କରମୁକ୍ତ ଆୟ ସୀମା ୫ ଲକ୍ଷ ଟଙ୍କାରୁ ୫.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୟୁନୁସ ସରକାରଙ୍କର ଏଭଳି ଆଚରଣ

ଆନ୍ଦୋଳନକାରୀଙ୍କୁ ୧୯୭୧ ମସିହାର ବାଂଲାଦେଶ ମୁକ୍ତି ଯୁଦ୍ଧର ଆହତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ସମକକ୍ଷ କରିଛି। ଅଗଷ୍ଟ ୨୦୨୪ରେ ଆୱାମୀ ଲିଗ୍ ଶାସନର ପତନ ପାଇଁ ଆନ୍ଦୋଳନ କରିଥିବା ୧,୪୦୧ ଜଣଙ୍କୁ ଫେବ୍ରୁଆରୀରେ ୟୁନୁସ ସରକାର 'ଜୁଲାଇ ଯୋଦ୍ଧା' ଭାବରେ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇଥିଲେ ବୋଲି ଟ୍ରିବ୍ୟୁନ୍ କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.