ଶାନ୍ତ ଲୋହିତ ସାଗର ପୁଣି ଅଶାନ୍ତ; ବାଣିଜ୍ୟିକ ଜାହାଜକୁ ହୁତି ଗୋଷ୍ଠୀଙ୍କ ଟାର୍ଗେଟ୍, ୩ଟି ମିସାଇଲ୍ ମାଡ଼

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ରେଡ୍ ସି’ରେ ଥମୁନି ହୁତି ବିଦ୍ରୋହୀଙ୍କ ଉପଦ୍ରବ। ଲୋହିତ ସାଗରରେ ପୁଣି ଥରେ ଜାହାଜ ଉପରେ ଆକ୍ରମଣ କରିଛନ୍ତି ହୁତି ଗୋଷ୍ଠୀ । ଶୁକ୍ରବାର ହୋଇଥିବା ଏହି ଆକ୍ରମଣରେ ଏକ ବ୍ୟଣିଜ୍ୟିକ ଜାହାଜ କ୍ଷତିଗ୍ରସ୍ତ ହୋଇଛି । ତେବେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରକୁ ଅଶାନ୍ତ ରଖିଛନ୍ତି । 

ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଲୋହିତ ସାଗରରେ ୩ଟି ମିଶାଇଲ ମାଡ ହୋଇଛି । ଏହି ମିଶାଇଲଗୁଡିକ ଏକ ବାଣିଜ୍ୟିକ ଜାହାଜ ବା ଅଏଲ୍ ଟ୍ୟାଙ୍କର ନିକଟରେ ପଡିଥିଲା । ଏହି ଜାହାଜରେ ପାନାମା ପତାକା ଲାଗିଥିବା ବେଳେ ଋଷ୍ ବାଣିଜ୍ୟିକ ଜାହାଜ ଆଣ୍ଡ୍ରୋମେଡା ଷ୍ଟାର ବୋଲି ଜଣାପଡିଛି । ଯାହା ରୁଷର ପ୍ରିମୋର୍ସ୍କରୁ ଭାରତ ଆସୁଥିବା ଜଣାପଡିଛି । ତେବେ ସିପ୍ ଟ୍ରାକିଂ ଡାଟା ଅନୁଯାୟୀ, ହୁତି ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ଜାହାଜ ନିଜର ଲୋକେସନ ବନ୍ଦ ରଖିଥିଲା । ଏହି ଆକ୍ରମଣ କରିଥିବା ନେଇ ହୁତି ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ୟାହା ସାରି ଶନିବାର ସ୍ପଷ୍ଟ କରିଛନ୍ତି । ଜାହାଜକୁ ହୁତି ବିଦ୍ରୋହୀ ଗୋଷ୍ଠୀ ସିଧାସଳଖ ମିସାଇଲ୍‌ ମାଡ଼ କରିଛି ବୋଲି ସେ କହିଛନ୍ତି । ଏହି ସମୟରେ ବାର୍ବାଡସ ପତାକା ଥିବା ଅନ୍ୟ ଏକ ଜାହାଜ ମଧ୍ୟ ପାଖରେ ଥିଲା ବୋଲି ଆମେରିକା ସୂଚନା ଦିଆଯାଇଛି । 

ଅକ୍ଟୋବରରେ ଇସ୍ରାଏଲ- ଗାଜା ଆକ୍ରମଣକୁ ନେଇ ହୁତି ବିରୋଧୀ ଲୋହିତ ସାଗରରେ ସକ୍ରିୟ ହୋଇଉଠିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡିକୁ ଟାର୍ଗେଟ କରୁଛି । ନଭେମ୍ବରରୁ ଏବେ ସୁଦ୍ଧା ହୁତି ଗୋଷ୍ଠୀ ୫୦ରୁ ଉର୍ଦ୍ଧ୍ୱ ଜାହାଜକୁ ଟାର୍ଗେଟ କରିବା ସହ ଗୋଟିଏ ଜାହାଜୁ ସିଜ୍‌ କରିନେବା ସହ ଡୁବାଇ ଦେଇଛି ବୋଲି ଆମେରିକା ନୌବାହିନୀ ପ୍ରଶାସନ କହିଛନ୍ତି । ଆମେରିକା ନେତୃତ୍ବରେ ୟେମେନରୁ ପରିଚାଳିତ ହୁତି ଗୋଷ୍ଠୀ ଉପରେ ଏୟାର ଷ୍ଟ୍ରାଇକ୍‌ ହେବା ପରେ ଲୋହିତ ସାଗରରେ ଶାନ୍ତି ଫେରିଥିଲା । ହେଲେ ଏବେ ପୁଣି ଥରେ ହୁତି ଗୋଷ୍ଠୀ ସକ୍ରିୟ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.