ସୁନା ଦୋକାନୀଙ୍କ ଘରୁ ଲୁଟ୍, ଗୁଳି ମାଡ଼ କରି ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍

Published By : Prameya-News7 Bureau | June 14, 2025 IST

ଉମରକୋଟ ୧୪।୬: ସୁନା ଦୋକାନୀଙ୍କ ଘରୁ ସଶସ୍ତ୍ର ଡକାୟତି । ଘରେ ପଶି ସୁନା ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା କୋଦଭଟ୍ଟାରେ ଶୁକ୍ରବାର ରାତିରେ ଘଟିଛି ସଶସ୍ତ୍ର ଡକାୟତି । ଡକାୟତଙ୍କ ଗୁଳିମାଡ଼ରେ ସୁନା ଦୋକାନୀ ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ସୁନା ଦୋକାନୀ ରାମ କୁମାର ଡାକୁଆ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ବ୍ୟାଗ୍‌ରେ ସୁନା ରଖି କୋଦଭଟ୍ଟା ସ୍ଥିତ ଘରକୁ ଫେରୁଥିଲେ । ସେ ଘରେ ପହଞ୍ଚିବା ମାତ୍ରେ କିଛି ଦୁର୍ବୃତ୍ତ ପହଞ୍ଚି ଠେଙ୍ଗା ଓ ବନ୍ଧୁକ ଧରି ରାମଙ୍କୁ ଆକ୍ରମଣ କରିଥିଲେ । ରାମଙ୍କ ପତ୍ନୀ ସଂଗୀତା ଘରୁ ବାହାରି ଦେଖିବା ବେଳକୁ ଦୁର୍ବୃତ୍ତମାନେ ସୁନା ବ୍ୟାଗ୍ ଛଡ଼ାଇବାକୁ ଯାଇ ରାମଙ୍କ ଗୋଡ଼ରେ ଗୁଳି ଫୁଟାଇବା ସହ ଠେଙ୍ଗାରେ ପିଟୁଥିଲେ । ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସଂଗୀତା ମଧ୍ୟ ଠେଙ୍ଗା ମାଡ଼ର ଶିକାର ହୋଇଥିଲେ । 

ତେବେ ୧୨ବର୍ଷର ପୁଅ କ୍ରିଷ୍ଣା ଦୁର୍ବୃତ୍ତମାନେ ବାପାଙ୍କୁ ମାଡ଼ ମାରୁଥିବା ଦେଖି ଚିତ୍କାର କରିବା ସହ ଅଗଣାରେ ପଡ଼ିଥିବା ପଥର ଗୋଟାଇ ସେମାନଙ୍କ ଉପରକୁ ଫିଙ୍ଗିଥିଲେ । ଫଳରେ ଦୁର୍ବୃତ୍ତମାନେ ସୁନା ବ୍ୟାଗ୍ ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ କିଛି ଗୁଳି ମଧ୍ୟ ପୋଲିସ ଜବତ କରିଛି । 

You Can Read:

ଛେଳି ଚୋରି କରିବାକୁ ନେଇ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ



 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.