ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକ ପରେ ଇସ୍ରାଏଲ ଏବଂ ଆମେରିକାକୁ କଡ଼ା ଚେତାବନୀ ଦେଇଛି ଇରାନ। ଉଭୟଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଇସ୍ରାଏଲକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇ। ଏଏଫପିର ଏକ ରିପୋର୍ଟ ଅନୁଯାୟୀ, ଇରାନ ଅଭିଯୋଗ କରିଛି ଯେ ଇସ୍ରାଏଲର ଆକ୍ରମଣର ଜବାବ ଦେବା ପାଇଁ ଇରାନର 'ବୈଧ ଅଧିକାର' ଅଛି। କହିଛି ଯେ ପରିଣାମ ପାଇଁ ଆମେରିକା ଦାୟୀ।
ସେପଟେ ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ ପଛରେ ଭୂମିକା ନାହିଁ କହିଲା ଆମେରିକା। ଏନେଇ ସ୍ପଷ୍ଟ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ। ସେ କହିଛନ୍ତି ଯେ ଇରାନ ଉପରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ। ଇସ୍ରାଏଲ ଇରାନ ବିରୁଦ୍ଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲ ଏହାର ସାମ୍ପ୍ରତିକ ନିଷ୍ପତ୍ତିରେ ଆତ୍ମରକ୍ଷା ଉଲ୍ଲେଖ କରିଛି। ଅର୍ଥାତ ନିଜର ସୁରକ୍ଷା ପାଇଁ ଏହି ଆକ୍ରମଣ।
ଏହା ବ୍ୟତୀତ, ଆମେରିକୀୟ ସ୍ୱାର୍ଥ କିମ୍ବା କର୍ମଚାରୀଙ୍କୁ ଟାର୍ଗେଟ କରିବା ବିରୁଦ୍ଧରେ ଇରାନକୁ ଚେତାବନୀ ଦେଇଛି ଆମେରିକା। ଆମେ ଇରାନ ବିରୁଦ୍ଧରେ ଆକ୍ରମଣରେ ଲିପ୍ତ ନାହୁଁ, ଏବଂ ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଏହି ଅଞ୍ଚଳରେ ଆମେରିକୀୟ ସେନାକୁ ସୁରକ୍ଷା ଦେବା।
ଜୁନ୍ ୧୩ ତାରିଖରେ ହୋଇଥିବା ଆକ୍ରମଣରେ ଇରାନର ସେନା ମୁଖ୍ୟ, ପରମାଣୁ ବୈଜ୍ଞାନିକଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ଦୁଇ ଜଣ ଇରାନୀ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ସେ ଇରାନର ପରମାଣୁ ଘାଟିକୁ ଧ୍ୱଂସ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ "ପ୍ରି-ଥ୍ରେଟ୍" ଭାବରେ ବର୍ଣ୍ଣନା କରିଛନ୍ତି।
ଆକ୍ରମଣ ଯୋଗୁଁ ଇରାନର ସାମରିକ ଅଧିକାରୀମାନେ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି IRGC ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ୍ ହୋସେନ୍ ସଲାମି, IRGC ଜେନେରାଲ୍ ଘୋଲାମ୍-ଅଲି ରସିଦ୍ ଓ ଦୁଇ ଜଣ ନ୍ୟୁକ୍ଲିଅର ବୈଜ୍ଞାନିକ। ଏହା ୧୯୮୦ ଦଶକର ଇରାକ ସହିତ ଯୁଦ୍ଧ ପରେ ଇରାନରେ ହୋଇଥିବା ସବୁଠାରୁ ବିଧ୍ୱଂସକାରୀ ଆକ୍ରମଣ ମଧ୍ୟରୁ ଗୋଟିଏ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ବିମାନବନ୍ଦର ଏକ ଆଡଭାଇଜରୀ ଜାରି କରିଛି। ଯାତ୍ରୀମାନଙ୍କୁ ସେମାନଙ୍କ ଏୟାରଲାଇନ୍ସରୁ ଅପଡେଟ୍ ପାଇବା ଏବଂ ପରିବର୍ତ୍ତିତ ଆକାଶମାର୍ଗ ପରିସ୍ଥିତି ମଧ୍ୟରେ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି।