ନୂଆଦିଲ୍ଲୀ ୨୦/୪: ଅଷ୍ଟ୍ରେଲିଆରେ ପଢିବାର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ଲାଗିଛି ଝଟ୍କା ।ଦେଶର ୫ ରାଜ୍ୟ ଉତ୍ତରପ୍ରଦେଶ,ବିହାର, ପଞ୍ଜାବ,ହରିୟାଣା ଓ ଗୁଜୁରାଟର ପିଲାଙ୍କ ପାଇଁ ଷ୍ଟୁଡେଣ୍ଟ ଭିସା ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ୫ ରାଜ୍ୟର ଛାତ୍ରଙ୍କ ଉପରେ ଭିସା ପାଇଁ ଦିଆଯାଉଥିବା ଡକ୍ୟୁମେଣ୍ଟରେ ହେରଫେରର ଅଭିଯୋଗ ଲାଗିଛି । ଏହା ଛଡା ଏହି ଅଭିଯୋଗ ମଧ୍ୟ ହୋଇଛି କି ଏହି ପିଲାମାନେ ଷ୍ଟଡି ଭିସା ନେଇ ଅଷ୍ଟ୍ରେଲିଆରେ ଫୁଲ୍ ଟାଇମ୍ କାମ କରୁଛନ୍ତି ।
୨ ବର୍ଷ ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆ ଏହି ୫ ରାଜ୍ୟ ଉପରେ ଭିସା କଟକଣା ଲଗାଇ ଥିଲା । ଅବଶ୍ୟ ପରେ ହଟାଇ ଦେଇଥିଲେ ପ୍ରତିବନ୍ଧକ । ଆମେରିକା ଓ କାନାଡାରେ ଭିସା ପ୍ରତିବନ୍ଧକ କାରଣରୁ ଭାରତରୁ ଅଧିକାଂଶ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆରେ ଭବିଷ୍ୟତ ଗଢିବାକୁ ମୁହାଁଉଛନ୍ତି । ଆମେରିକାରେ ଭାରତୀୟ ଛାତ୍ରଙ୍କ ଭିସା ରିଜେକ୍ସନ ବଢି ୨୪ ପ୍ରତିଶତ ଯାଏ ପହଞ୍ଚିଯାଇଛି । ଯାହା ଗତ ୧ଦଶକ ଭିତରେ ସବୁଠୁ ଅଧିକ । କାନାଡାରେ ମଧ୍ୟ ସମାନ ପରିସ୍ଥିତି ।
ଏମିତି ସ୍ଥିତିରେ ଅଷ୍ଟ୍ରେଲିଆରେ ପାଠ ପଢିବାକୁ ଆଶା ବାନ୍ଧି ବସିଥିବା ଛାତ୍ରଛାତ୍ରୀଙ୍କୁ ଝଟ୍କା ଲାଗିଛି । ଭାରତର ବନ୍ଧୁ ଦେଶ ଭାବରେ ପରିଚିତ ଅଷ୍ଟ୍ରେଲିଆର ଏପରି ପଦକ୍ଷେପକୁ ଆସୋସିଏସନ ଅଫ ଅଷ୍ଟ୍ରେଲିଆ ଏଜୁକେସନ ରିପ୍ରେଜେନଟିଭ୍ସ ଇନ ଇଣ୍ଡିଆ (AAERI) ଭୁଲ କହିଛି ।