ଯାହା BCCI କରି ପାରିଲା ନାହିଁ, ତାହା ଅଷ୍ଟ୍ରେଲିଆ କରିବ; ବିରାଟ ଓ ରୋହିତଙ୍କୁ ଫେୟାରଓ୍ଵେଲ ଦେବ CA

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ତଥା ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମେ ୭ରୁ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାର ୫ ଦିନ ପରେ ଅର୍ଥାତ ମେ ୧୨ ତାରିଖରେ ଦଳର ତରକା ବ୍ୟାଟର ବିରାଟ କୋହଲି ଅପ୍ରତ୍ୟାଶିତ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ହେଲେ ଏହି ଦୁଇ ଖେଳାଳିଙ୍କୁ ବିସିସିଆଇ ପକ୍ଷରୁ କୌଣସି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇ ନାହିଁ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଟେଷ୍ଟ କ୍ରିକେଟ୍‌ରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବ କି ନାହିଁ ଘୋଷଣା କରିନି। ହେଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ରୋହିତ ଓ ବିରାଟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଯୋଜନା ପ୍ରସ୍ତୁତ କରିଛି। ଭାରତୀୟ ଦଳ ଚଳିତ ବର୍ଷ ଶେଷ ଆଡ଼କୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ  କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଦୁଇ କିମ୍ବଦନ୍ତୀ କ୍ରିକେଟ୍‌ରଙ୍କ ପାଇଁ ସ୍ଵତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

Also read: ଯାହା ଧୋନୀ-କୋହଲି କରି ପାରିଲେନି, ତାହା ଅଧିନାୟକ ଗିଲ୍ କରି ପାରିବେ କି ? ୧୮ ବର୍ଷରୁ ହାତ ଖାଲି

କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ କହିଛନ୍ତି, ଏହା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଶେଷ ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଏବଂ ବୋର୍ଡ ଉଭୟଙ୍କ ମହାନ କ୍ରିକେଟ୍ କ୍ୟାରିୟରକୁ ସମ୍ମାନିତ କରିବାକୁ ଚାହୁଁଛି।  ଟଡ୍ ଗ୍ରୀନବର୍ଗ ଏହା ମଧ୍ୟ କହିଛନ୍ତି, ମୁଁ ଜାଣିନାହିଁ ଏହା ସେମାନଙ୍କର ଶେଷ ଗସ୍ତ ହେବ କି ନାହିଁ, କିନ୍ତୁ ବୋର୍ଡ ରୋହିତ ଏବଂ ବିରାଟଙ୍କ ପାଇଁ ଏହି ଗସ୍ତ ସ୍ମରଣୀୟ କରିବାକୁ ଚାହାଁନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ସମ୍ପ୍ରତି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି, କିନ୍ତୁ ଉଭୟେ ଏବେ ବି ଦିନିକିଆ ଖେଳୁଛନ୍ତି। 

କ୍ରିକେଟ୍ ଅଷ୍ଟ୍ରେଲିଆ ଅନୁଭବ କରୁଛି ଯେ ରୋହିତ ଓ କୋହଲି  ଯେକୌଣସି ସମୟରେ ଦିନିକିଆରୁ ଅବସର ନେଇ ପାରନ୍ତି। ତେଣୁ ଦୁଇ ତାରକା ଖେଳାଳି ଅଷ୍ଟ୍ରେଲିଆର ଏହି ଗସ୍ତକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି। ତେଣୁ ଉଭୟଙ୍କ ସମ୍ମାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଆୟୋଜନ କରିବାକୁ ଯାଉଛି କ୍ରିକେଟ୍ ଅଷ୍ଟ୍ରେଲିଆ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.