ନୂଆଦିଲ୍ଲୀ ୧୮/୦୮: ଏସିଆ କପ୍ କାଉଣ୍ଟଡାଉନ୍ । କିଏ ରହିବେ କିଏ ବାଦ୍ ପଡିବେ ଚାଲିଛି ମାନସମନ୍ଥନ । ଖାସ୍ ସେଥିପାଇଁ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୯ରେ ବସିବ ବୈଠକ । ଅଜିତ ଅଗରକରଙ୍କ ନେତୃତ୍ୱରେ ପୁରୁଷ ଜାତୀୟ ଚୟନ କମିଟି ଟିମ୍ ଚୟନ କରିବାକୁ ବୈଠକ ବସିବ । ତେବେ ଆଶ୍ୱସ୍ତିକର କଥା ହେଉଛି, ସୂର୍ଯ୍ୟକୁମାର ଯାଦବ ଫିଟ୍ନେସ୍ ଟେଷ୍ଟରେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ।
କିଛି ଦିନ ପୂର୍ବରୁ ସୂର୍ଯ୍ୟଙ୍କର ଅସ୍ତ୍ରୋପଚାର ହୋଇଥିଲା, ଯାହା ପରେ ସେ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି। ତଥାପି ଚୟନକର୍ତ୍ତାଙ୍କ ସମ୍ମୁଖରେ ଅନେକ ସମସ୍ୟା ରହିଛି । ସେମାନଙ୍କୁ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ତେବେ ବଡ଼ ପ୍ରଶ୍ନ ହେଉଛି ଶୁବମନ ଗିଲ୍ ଏବଂ ଯଶସ୍ୱୀ ଜୟସୱାଲଙ୍କ ପାଇଁ ଦଳରେ ସ୍ଥାନ ମିଳିବ କି ନାହିଁ। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯିବ ।
ଶୁବମନ ଗିଲ୍ଙ୍କ ଅନୁପସ୍ଥିତି ଓ ରୋହିତ ଶର୍ମାଙ୍କ ଅବସର ପରେ, ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମାଙ୍କୁ ଟି-୨୦ରେ ଓପନିଂ କରିବାର ସୁଯୋଗ ମିଳିଥିଲା । ଯାହା ସେମାନେ ପୂର୍ଣ୍ଣ ଉପଯୋଗ କରିଛନ୍ତି। ତେଣୁ, ଫିଟ୍ ଥିବା ସମୟରେ ସେମାନଙ୍କୁ ବାଦ ଦେବାର କୌଣସି ଅର୍ଥ ନାହିଁ। ଶୁଭମାନ ଗିଲ୍ ଏବଂ ଯଶସ୍ୱୀ ଜୟସୱାଲ ଭାରତୀୟ ଦଳର ବଡ଼ ନାମ । ତେଣୁ ଚୟନକର୍ତ୍ତାମାନେ ଉଭୟଙ୍କୁ ବାଦ ଦେବାର ସାହସିକ ନିଷ୍ପତ୍ତି ନେଇପାରିବେ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।
ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଶୁବମନ ଗିଲ ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ଏସିଆ କପ୍ ଦଳରୁ ବାହାରେ ରଖିବାକୁ ଯୋଜନା ଚାଲିଛି । ଅଜିତ ଅଗରକର ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ସମ୍ପ୍ରତି ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଦଳକୁ ବଜାୟ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ।
ଏସିଆ କପ୍ ୨୦୨୫ର ଶେଷ ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଖେଳାଯିବ । ଯାହା ପରେ ଭାରତ ୨ ଅକ୍ଟୋବରରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳିବ। ତେଣୁ, ଅଧିନାୟକ ଗିଲ ଏବଂ ଜୟସ୍ୱାଲଙ୍କୁ ସେହି ସିରିଜ୍ ପାଇଁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଏହା କରାଯାଇପାରିବ।
ସମାନ ରିପୋର୍ଟରେ କୁହାଯାଇଛି ଯେ ଚୟନକର୍ତ୍ତାମାନେ ଶ୍ରେୟସ ଆୟରଙ୍କୁ ଦଳରେ ଓ ଜିତେଶ ଶର୍ମାଙ୍କୁ ଦ୍ୱିତୀୟ ୱିକେଟକିପର ଭାବରେ ସାମିଲ କରିପାରିବେ। ଜିତେଶ IPLରେ RCB ପାଇଁ ଖେଳୁଥିବା ସମୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । RCBକୁ ପ୍ରଥମ ଟାଇଟଲ୍ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେହି ସମୟରେ, ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା
ଶ୍ରେୟସ ଆୟର ଆଇପିଏଲ ୨୦୨୫ରେ ଖେଳାଯାଇଥିବା ୧୭ ମ୍ୟାଚରେ ୧୭୫.୦୭ ଷ୍ଟ୍ରାଇକ ରେଟରେ ୬୦୪ ରନ କରିଥିଲେ । ଯେଉଁଥିରେ ୬ ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା । ତାଙ୍କ ଅଧିନାୟକତ୍ୱରେ ପଞ୍ଜାବ ଫାଇନାଲରେ ପହଞ୍ଚିଥିଲା। ରିପୋର୍ଟ ଅନୁଯାୟୀ, ୟୁଏଇର ପରିସ୍ଥିତିକୁ ବିଚାର କରି ଚୟନକର୍ତ୍ତାମାନେ ଦଳରେ ଜଣେ ଅଭିଜ୍ଞ ମଧ୍ୟମ କ୍ରମ ବ୍ୟାଟସମ୍ୟାନ ଚାହାଁନ୍ତି।
ଏହି କାରଣରୁ, ଦଳରେ ଶ୍ରେୟସ ଆୟରଙ୍କ ଚୟନ ନିଶ୍ଚିତ ବୋଲି ବିବେଚନା କରାଯାଉଛି। ୟୁଏଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବିଜୟରେ ଆୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାର ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଫାଇନାଲରେ ଆୟର ୪୮ ରନ କରିଥିଲେ।
ଯଦି ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଏ । ତେବେ ରିଙ୍କୁ ସିଂହ ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେବାକୁ ପଡ଼ିପାରେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ଚୟନ ପାଇଁ ବୈଠକରେ ଯୋଗଦେବେ।