ଟପ୍ ନକ୍ସଲ ନେତା ଚଲାପତି ପରେ ପତ୍ନୀ କରୁଣା ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ

Published By : Prameya-News7 Bureau | June 18, 2025 IST

ନୂଆଦିଲ୍ଲୀ: ସାରା ଦେଶରେ ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ଲଢାଯାଉଛି । ବୁଧବାର ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସୀମାରେ ଗୁଳି ବିନିୟମ ହୋଇଥିଲା । ଏହି ଏନକାଉଣ୍ଟରରେ ଯବାନଙ୍କ ଗୁଳିରେ ନକ୍ସଲଙ୍କ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଗଜରଲା ରବି, ଅରୁଣା ସମେତ ୩ ବରିଷ୍ଠ କ୍ୟାଡରଙ୍କ ମୃତ ଦେହ ମିଳିଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟରରେ ମୃତ ଅରୁଣା ସ୍ପେଶାଲ ଜୋନାଲ୍ କମିଟି ସଦସ୍ୟ ଥିଲେ । ସେ ନକ୍ସଲ ଲିଡର୍‌ଙ୍କ ପତ୍ନୀ ଥିଲେ । ତାଙ୍କର ଗୋଟିଏ ସେଲ୍ଫି କାରଣରୁ ହିଁ ଚଲାପତି ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିଲା ।

ଛତିଶଗଡ଼ର ଗରିଆବାନ୍ଦ ଜିଲ୍ଲାରେ ଜାନୁଆରୀରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ନକ୍ସଲଙ୍କ ଟପ୍ ଲିଡର ନିପାତ ହୋଇଥିଲା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଶୀର୍ଷ ସାତ ସଦସ୍ୟଙ୍କ ମଧ୍ୟରେ ସାମିଲ ଜୟରାମ ରେଡ୍ଡୀ ଓରଫ୍ ଚଲାପତିର ଶବ ଯବାନଙ୍କୁ ମିଳିଥିଲା । ଚଲାପତି ସବୁବେଳେ ସତର୍କରେ ରହୁଥିଲା, କିନ୍ତୁ ପତ୍ନୀ ସହ ତାଙ୍କର ଏକ ସେଲ୍ଫି ସୁରକ୍ଷା ବଳଙ୍କୁ ତାଙ୍କ ନିକଟରେ ପହଞ୍ଚାଇଥିଲା ।

ଅରୁଣା କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚଲାପତିଙ୍କ ପତ୍ନୀ ଥିଲେ । ଆରାକୁ ବିଧାୟକ କିଡାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କ ହତ୍ୟାରେ ଅରୁଣା ସାମିଲ ଥିଲେ । ୨୦୧୮ ମସିହାରେ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀମାନେ ଦୁଇ ଟିଡିପି ନେତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅରୁଣା ବିଶାଖାପାଟଣା ଜିଲ୍ଲାର ପେଣ୍ଡୁର୍ଥୀ ମଣ୍ଡଳର କରକୱାନିପାଲମର ମୂଳ ବାସିନ୍ଦା ଥିଲେ । ତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । 

ଜଙ୍ଗଲରେ ରହୁଥିବା ସମୟରେ, ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ୍ ଜୋନାଲ୍ କମିଟି (AOBSZC)ର 'ଡେପୁଟି କମାଣ୍ଡର' ଅରୁଣା ଓରଫ ଚୈତନ୍ୟ ଭେଙ୍କଟ ରବିଙ୍କ ସହ ଚଲାପତି ବନ୍ଧୁତା ସ୍ଥାପନ କରିଥିଲେ । ପରେ, ଚଲାପତି ତାଙ୍କୁ ବିବାହ କରିଥିଲେ । ଚଲାପତି ସୁରକ୍ଷା ଏଜେନ୍ସିଙ୍କ ପହଞ୍ଚ ବାହାରେ ଥିଲେ, କିନ୍ତୁ ଅରୁଣାଙ୍କ ସହିତ ନିଆଯାଇଥିବା ଗୋଟି ସେଲ୍ଫି ତାଙ୍କୁ ଧରା ପକାଇ ଦେଇଥିଲା । ତାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ୨୦୧୬ ମେ’ରେ ଆନ୍ଧ୍ର ପ୍ରଦେଶରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପରେ ଉଦ୍ଧାର ହୋଇଥିବା ଏକ ସ୍ମାର୍ଟଫୋନରେ ଦମ୍ପତିଙ୍କ ଏହି ସେଲ୍ଫି ମିଳିଥିଲା । ଛତିଶଗଡ଼-ଓଡିଶା ସୀମାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଚଲାପତିଙ୍କ ସମେତ ୧୬ ଜଣ ମାଓବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.