ଭୁବନେଶ୍ଵର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଏବେ ଜେଲ୍ରେ ସଜା କାଟୁଛି। ୨୦୨୦ରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପ୍ରାୟ ୫ ବର୍ଷ ପରେ ଘଟଣାର ତଦନ୍ତ କରିଥିବା ପୂର୍ବତନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଜି ଏକ୍ସରେ ଏକ ଚାଞ୍ଚଲ୍ୟ କର ପୋଷ୍ଟ କରି ତଦନ୍ତ ବେଳର ଏକ ଅକୁହା କଥା କହିଛନ୍ତି। ଏଥିରେ ସେ ଲେମ୍ବୁ ଓ ଲଙ୍କାର ନୂଆ ଥିଓରୀ ଯୋଡ଼ିଛନ୍ତି। ଏହି ଲେମ୍ବୁ ଓ ଲଙ୍କା କେମିତି ସରୋଜକୁ ଧରା ପକାଇଥିଲା, ସେ ବିଷୟରେ ବଖାଣିଛନ୍ତି ବୋଥ୍ରା।
ସେ ଏକ୍ସରେ ଲେଖିଛନ୍ତି, ଅପରାଧର ତଦନ୍ତ କରିବା ଅର୍ଥ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା। ଅଦାଲତରେ ମାମଲାର ନିଷ୍ପତ୍ତି ପାଇଁ ପ୍ରମାଣ ଓ ଏହାର ବିଶ୍ଵସନୀୟତା ଉପରେ ନିର୍ଭର କରେ। ମଜାର କଥା ଅନେକ ଥର ଏମିତି କିଛି ମାମଲା ସାମ୍ନାକୁ ଆସିଥାଏ ଯାହା ଏକ ବଳିଷ୍ଠ ପ୍ରମାଣ ଭଳି ଲାଗିଥାଏ, ମାତ୍ର ଏହାକୁ ଅଦାଲତରେ ଉପସ୍ଥାପନ କରାଯାଇ ପାରି ନ ଥାଏ।
ଅରୁଣ ବୋଥ୍ରା କହିଛନ୍ତି, ମୁଁ ଏକ ପାଞ୍ଚ ବର୍ଷର ବାଳିକାର ଦୁଷ୍କର୍ମ ଓ ହତ୍ୟା ସଂପର୍କିତ ମାମଲାର ତଦନ୍ତ କରୁଥିଲି। ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଥିଲା ଜଣେ ଅଳ୍ପ ବୟସର ପିଲା। ପ୍ରତ୍ୟେକ ଆଲୋଚନା ଓ ପର୍ଯ୍ୟାଲୋଚନା ସହିତ ଏହା ସ୍ପଷ୍ଟ ହୋଇ ଚାଲିଥିଲା ଯେ, ଏହି ପିଲା ହିଁ ଏହି କେସ୍ରେ ସାମିଲ୍ ଥିଲା। ଗୋଟିଏ ଦିନ ଯାଞ୍ଚ କରିବା ପାଇଁ ତାର ଘରକୁ ଯାଇଥିଲି। ସେହି ସମୟରେ ଦେଖିବାକୁ ପାଇଲି ପିଲାଟି ବେଡରେ ଶୋଇଛି ଏବଂ ତାର ମାଆ ଘରୋଇ ଶୈଳୀରେ ତାର ମୁଣ୍ଡରେ ଲେମ୍ବୁ ଓ ଲାଲ ଲଙ୍କା ଘସୁଥିଲେ। ଯେବେ ମୁଁ ଏହି ଘରୋଇ ଉପଚାର ବିଷୟରେ ପଚାରିଲି ତାର ମାଆ କହିଲେ ତାକୁ ଡରାଇବା ଭଳି ସ୍ଵପ୍ନ ଆସୁଛି। ଖରାପ ଆତ୍ମାକୁ ଭଗାଇବା ପାଇଁ ଦେଶୀ ଉପଚାର କରୁଛି।
ମୁଁ ପଚାରିଲି କେଉଁ ପ୍ରକାରର ଖରାପ ଆତ୍ମା। ପିଲାଟିର ମାଆ କହିଥିଲେ, ସେ ମୃତ ଝିଅ ବିଷୟରେ ସ୍ଵପ୍ନ ଦେଖୁଥିଲା। ମୃତ ଝିଅଟି ସ୍ଵପ୍ନରେ କିଛି କୁହେ ନାହିଁ, ବାସ୍ ତାକୁ କେବଳ ଦେଖି ଚାଲିଥାଏ। ଏହି ସ୍ଵପ୍ନ ଦେଖିବା ପରେ ଅଧ ରାତିରେ ପୁଅ ଝାଳ ଜୁଡୁବୁଡୁ ଅବସ୍ଥାରେ ଉଠିଯାଏ ଏବଂ ତାର ଶରୀର ଥରୁଥାଏ।
ବୋଥ୍ରା ଲେଖିଛନ୍ତି, ମୁଁ ସେହି ଦିନ ତଦନ୍ତ ନ କରି ଫେରି ଆସିଲି। ମାତ୍ର ମୁଁ ଯାହା ଦେଖିଲି, ପିଲାଟିର ମାନସିକ ସ୍ଥିତିର ଏକ ସ୍ପଷ୍ଟ ଝଲକ ଥିଲା। ଏହା ଅପରାଧର ଏକ ଅଘୋଷିତ ସ୍ଵୀକାରୋକ୍ତି ଥିଲା। ଆମେ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଲୁ। ଶେଷରେ ଏକ ଫରେନ୍ସିକ ବିଶେଷଜ୍ଞ ଦ୍ଵାରା କରାଯାଇଥିବା ପଲିଗ୍ରାଫ ଟେଷ୍ଟ ସମୟରେ ପିଲାଟି ଭାଙ୍ଗି ପଡ଼ିଲା ଏବଂ କାନ୍ଦିବାରେ ଲାଗିଲା। ଆଉ ସେ ନିଜର ଅପରାଧ ସ୍ଵୀକାର କରିଥିଲା। ତାର ସ୍ଵୀକାରୋକ୍ତି ସହ ଅନେକ ମହତ୍ଵପୂର୍ଣ୍ଣ ଓ ଭୌତିକ ସାକ୍ଷ୍ୟ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହେଲା। ଅଦାଲତ ତାକୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
Crime investigation is all about gathering evidence. After all, courts rely on evidence and its credibility to decide cases.
— Arun Bothra 🇮🇳 (@arunbothra) June 1, 2025
Interestingly, at times, one comes across something that seems like strong evidence but still cannot be presented in court.
I was supervising a case…
ସୂଚନାଯୋଗ୍ୟ, ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା। ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। ଘଟଣାର ଏସଆଇଟି ତଦନ୍ତ କରି ସରୋଜ ସେଠୀକୁ ଗିରଫ କରିଥିଲା। ନାବାଳକ ଥିବାରୁ ସରୋଜ କିଛି ସମୟ ବାଳସୁଧାର ଗୃହରେ ରଖାଯାଇଥିଲା। ସାବଳକ ହେବା ପରେ କୋର୍ଟ ତାକୁ ଦୁଷ୍କର୍ମ ପାଇଁ ୨୦ ବର୍ଷ ଏବଂ ହତ୍ୟା ପାଇଁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।