ସିକ୍କିମର ଆର୍ମି କ୍ୟାମ୍ପରେ ଭୂସ୍ଖଳନ; ୩ ଯବାନ ମୃତ, ୬ ନିଖୋଜ

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ ୦୩।୦୬; ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ବିପର୍ଯ୍ୟୟ ଘଟିଛି। ଉତ୍ତର-ପୂର୍ବରେ ଏହି ଖରାପ ପାଗରେ ପ୍ରାୟ ୧୫୦୦ ପର୍ଯ୍ୟଟକ ମଧ୍ୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଉଛି। ରବିବାର (ଜୁନ୍ ୦୧, ୨୦୨୫) ସନ୍ଧ୍ୟାରେ ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ଘଟି ଦୁଇ ଜଣ ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଛଅ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି। ଯାହାଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।

ସୂଚନା ଅନୁଯାୟୀ, ରବିବାର (୦୧ ଜୁନ୍, ୨୦୨୫) ସନ୍ଧ୍ୟା ପ୍ରାୟ ୭ଟାରେ ଉତ୍ତର ସିକ୍କିମର ଚଟନରେ ଥିବା ସେନା ଶିବିରରେ ଏକ ଭୂସ୍ଖଳନ ଘଟିଥିଲା। ଯାହା ଫଳରେ ଆଖପାଖ ଅଞ୍ଚଳର ଘରଗୁଡ଼ିକୁ ପ୍ରବଳ କ୍ଷତି ହୋଇଥିଲା। ଏହି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ସୈନିକ ଏବଂ ଜଣେ ସେନାର କୁଲି ଥିଲେ। ଏହି ଦୁର୍ଘଟଣାରେ ଚାରି ଜଣ ସୈନିକ ଆହତ ହୋଇଛନ୍ତି ଏବଂ ଛଅ ଜଣ ନିଖୋଜ ଅଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣ ହରାଇଥିବା ସାହସୀ ସୈନିକଙ୍କ ପରିବାର ପ୍ରତି ଭାରତୀୟ ସେନା ଗଭୀର ସମବେଦନା ପ୍ରକାଶ କରୁଛି। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ବୋଲି ସେନା ମୁଖପାତ୍ର କହିଛନ୍ତି।

ସିକ୍କିମରେ ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ

ଉତ୍ତର ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରାୟ ୧୫୦୦ ପର୍ଯ୍ୟଟକ ଲୋଚନ ଏବଂ ଲାଚୁଙ୍ଗ ଅଞ୍ଚଳରେ ଫସି ରହିଛନ୍ତି। ମାଙ୍ଗାନ ଜିଲ୍ଲା ଏସପି ସୋନମ ଦେଚୁ ଭୁଟିଆ କହିଛନ୍ତି ଯେ ଲାଚେନରେ ୧୧୫ ପର୍ଯ୍ୟଟକ ଏବଂ ଲାଚଙ୍ଗରେ ୧୩୫୦ ପର୍ଯ୍ୟଟକ ରହିଛନ୍ତି। ଭୂସ୍ଖଳନ ଯୋଗୁଁ ରାସ୍ତାଗୁଡ଼ିକ ଉଭୟ ପାର୍ଶ୍ୱରୁ ବନ୍ଦ ହୋଇଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.