ହିନ୍ଦୋଳ ୨।୮: ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି । କାର୍ଣ୍ଣପୁର ସେକ୍ସନ ଅନ୍ତର୍ଗତ ମହାଲୁଣ୍ଡା ପଞ୍ଚାୟତର ଟାଙ୍ଗିଶାଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣଙ୍କ ଟାଙ୍ଗିଶାଳ ଗ୍ରାମର ୭୩ ବର୍ଷ ବୟସ୍କ ସୁଧାକର ସାମଲ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସୁଧାକର ବିଲକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ଖୋଜାଖୋଜି କରିବା ପରେ ଶନିବାର ଭୋର ସମୟରେ ବିଲ ନିକଟରୁ ସୁଧାକରଙ୍କ ମୃତଦେହ ପଡିଥିବା ଦେଖିଥିଲେ । ସୁଧାକରଙ୍କୁ ହାତୀ ଅତି ବୀଭତ୍ସ ଭାବେ ଟେକି କଚାଡି କଚାଡି ମାରିଥିବା ବେଳେ ତାଙ୍କ ଶରୀରରୁ ମୁଣ୍ଡ ଓ ହାତ ଆଦି ଅଲଗା ଅଲଗା ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗ୍ରାମବାସୀ ରୁଣ୍ଢ ହୋଇଛନ୍ତି । ତେବେ ଏହି କର୍ଣ୍ଣପୁର ସେକ୍ସନ ଅଞ୍ଚଳରେ ଘଟଣାସ୍ଥଳରୁ ପ୍ରାୟ ୪/୫ କି.ମି. ଦୂର କନ୍ତାମିଲା ଗ୍ରାମରେ ଏକ ମଇଁଷି ଗୋଠରେ ପଶି ହାତୀ ଉପଦ୍ରବ କରିଛନ୍ତି । ମଇଁଷି ଗୋଠରେ ହାତୀ ଆକ୍ରମଣରେ ୪ଟି ମଇଁଷି ମରିଥିବା ସୂଚନା ମିଳିଛି ।
ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ଏହି ହିନ୍ଦୋଳ ବନାଞ୍ଚଳର ବାଘଧରିଆ ଗ୍ରାମରେ ଦନ୍ତା ହାତୀ ଆକ୍ରମରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ପୁଣି ଜଣଙ୍କୁ ମାରିଦେଇଛି ହାତୀ । ତେବେ ଏହି ଅଂଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ହାତୀ ଉପଦ୍ରବ କରୁଥିଲେ ମଧ୍ୟ ବନ କର୍ମଚାରୀଙ୍କର ଦେଖାନଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ । ଫଳରେ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
You Can Read:
ବିଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମହିଳା-ପୁରୁଷ : ଜଣେ ମୃତ, ଜଣେ ଚିକିତ୍ସାଧିନ