ଭୁବନେଶ୍ୱର ୨୮।୦୬ : ଶନିବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଲାଂଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ୨୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି।
୩୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧ ତାରିଖରେ ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ନୂଆପଡ଼ା, ରାୟଗଡ଼ା ଓ ପୁରୀରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
a୨ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଶୁକ୍ରବାର ଭଦ୍ରକରେ ୧୭.୨ମିମି ବର୍ଷା ହୋଇଛି। ଭବାନୀପାଟଣାରେ ୧୩.୨, ଦାରିଙ୍ଗିବାଡ଼ିରେ ୧୨, ଚାନ୍ଦବାଲିରେ ୮.୯, ଯାଜପୁରରେ ୮ମିମି ବର୍ଷା ହୋଇଛି। ଗୁରୁବାରରୁ ଶୁକ୍ରବାର ଭିତରେ ଭିତରେ ଜଗତ୍ସିଂହପୁରରେ ନିର୍ଧୁମ ବର୍ଷା ହୋଇଛି। ବାଲିକୁଦାରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଛି। ଗୁରୁବାରରୁ ଶୁକ୍ରବାର ଭିତରେ ପୁରୀ କାକଟପୁରରେ ୧୦୯ମିମି, ଖୋର୍ଦ୍ଧା ବୋଲଗଡ଼ରେ ୧୦୨ମିମି, ମୟୂରଭଞ୍ଜ ବେତନଟୀରେ ୮୫ମିମି, ନୟାଗଡ଼ରେ ୭୭, ନିମାପଡ଼ାରେ ୬୯.୬, କେନ୍ଦ୍ରାପଡ଼ା ରାଜନଗରରେ ୬୬, କଟକ ବାଙ୍କୀରେ ୬୫, କେନ୍ଦ୍ରାପଡ଼ା ମହାକାଳପଡ଼ାରେ ୬୦, ବୌଦ୍ଧ କଣ୍ଟାମାଳରେ ୫୯.୨ ଓ କଟକରେ ୫୮.୪ ମିମି ବର୍ଷା ରେକର୍ଡ ହୋଇଛି ।