ଆସୁଛି ଆଉ ଏକ ଲଘୁଚାପ, ୧୩ ତାରିଖରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ନେଇ ଆଲର୍ଟ

Published By : Prameya-News7 Bureau | August 05, 2025 IST

ଭୁବନେଶ୍ୱର ୦୫।୦୮ : ଆସନ୍ତା  ୧୪ ତାରିଖରୁ ରାଜ୍ୟରେ ଲଘୁଚାପ ବର୍ଷା ହୋଇପାରେ । ୧୩ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ ଅଛି। ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ବା ଏହାର ଦକ୍ଷିଣରେ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ  ୨୪ରୁ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ। ଏହା ବର୍ଷା କରାଇବ । କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ପଶ୍ଚିମ  ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । 

ବଙ୍ଗୋପସାଗରୀୟ ଲଘୁଚାପ ବା ମୌସୁମୀ ଟ୍ରଫ୍‌ ଠିକ୍‌ ସ୍ଥାନରେ ସ୍ଥାନିତ ହେଲେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଉତ୍ତରାଭିମୁଖୀ ହୋଇଛି। ଏବେ ହିମାଳୟ ଅଞ୍ଚଳରେ ବର୍ଷା ହେଉଛି । ୧୪ ତାରିଖ ଭିତରେ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ଆସନ୍ତା ୧୦ ଦିନ ଯାଏ କେବଳ ପରିଚଳନ ଜନିତ ସ୍ୱଳ୍ପ ବର୍ଷା ହୋଇପାରେ। ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା   ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ରାଜ୍ୟର ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ହେଉନଥିବାରୁ ଅନେକ ସ୍ଥାନରେ ତଳି ରୁଆ ହୋଇପାରୁନି। ୬ ଓ ୭ ତାରିଖରେ ସ୍ୱଳ୍ପ ବର୍ଷା ଯୋଗୁ କିଛି ସ୍ଥାନରେ ତଳି ବଞ୍ଚିଯିବ। ଜନ୍ମାଷ୍ଟମୀ ପରେ ବାକି  ଥିବା ରୁଆ, ବେଉଷଣ କରନ୍ତୁ। ଆଗକୁ ସମୟ ଅଛି ଓ ବର୍ଷା ବି ହେବ। ଚାଷୀମାନେ କୌଣସି ଆଶଙ୍କା ପ୍ରକାଶ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ୬ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର ଓ  ଝାରସୁଗୁଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.