ପିପିଲି: ରାଜ୍ୟରେ ସଂପ୍ରତି ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟିବା ମାମଲା ଥମିବାର ନାଁ ଧରୁନି। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କେଉଁଠୁ ନା କେଉଁଠୁ ନିଆଁରେ ଜଳିଯିବା ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟରେ ଦୀପ ନିଆଁରେ ଜଣେ ମହିଳା ଜଳି ଯାଇଥିବାର ଦୁଃଖଦ ଖବର ପିପିଲିରୁ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି।
ସୂଚନା ଅନୁଯାୟୀ, ପିପିଲି ଥାନା ଜୟପୁର ନିକଟ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ଦୀପ ନିଆଁରେ ଜଳି ଯାଇଛନ୍ତି ମହିଳା । ଶରୀର ୯୦ ଭାଗ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ ଅବସ୍ଥାରେ ଏବଂ କେଉଁ ସ୍ଥିତିରେ ଦୀପ ନିଆଁରେ ମହିଳା ଜଳିଗଲେ ତାହା ସ୍ପଷ୍ଟ ହୋଇନି।
ସୂଚନାଯୋଗ୍ୟ, ଗତ ସୋମବାର ବରଗଡ଼ର ଗାଇସିଲେଟରେ ଜଣେ ନାବାଳିକା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଦେଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସ୍ଥିତିରେ ବୁର୍ଲା ମେଡିକାଲରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏସପି କହିଛନ୍ତି। ପୁଣି ପୁରୀର ବଳଙ୍ଗା କେସ୍ ହେଉ ବା ବାଲେଶ୍ଵରର ଏଫଏମ କଲେଜ ଛାତ୍ରୀ ସୌମାଶ୍ରୀ ମାମଲା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।