୨୭ରେ ସୃଷ୍ଟିହେବ ଲଘୁଚାପ, ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ

Published By : Prameya-News7 Bureau | June 20, 2025 IST

ଭୁବନେଶ୍ୱର,୨୦/୦୬: ଆସନ୍ତା ୨୭  ତାରିଖରେ ରାଜ୍ୟରେ ପୁଣି ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗର ଓ  ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । ଏହା  ପ୍ରଭାବରେ ୨୬ରୁ ୨ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)  ବିସ୍ତାରିତ ଆକଳନ କରି ଏହି ସୂଚନା ଜାରି କରିଛି । 


ଆଇଏମ୍‌ଡି ପୂର୍ବାନୁମାନ କହୁଛି, ଦେଶର ଉତ୍ତର ପୂର୍ବ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ  ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ । ତେବେ ୧୯ରୁ ୨୨  ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ୨୫ ତାରିଖ ଯାଏ ଅଧିକାଂଶ ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୪୦ରୁ  ୫୦ କିମି ବେଗରେ ପବନ ବି ବହିପାରେ । ୨୬ ତାରିଖ ସୁଦ୍ଧା ମୌସୁମୀ ଦେଶର ସବୁ ସ୍ଥାନକୁ ଅଗ୍ରସର  ହୋଇଯିବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ  ଅନୁସାରେ, ୨୦ ତାରିଖରେ ସୁନ୍ଦରଗଡ଼ ଓ  ଝାରସୁଗୁଡ଼ାରେ ବର୍ଷା ହୋଇପାରେ । ୨୧ ଓ ୨୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ  ବର୍ଷା ସମ୍ଭାବନା ଅଛି । ଗୁରୁବାର ହୀରାକୁଦରେ  ୩୨.୬ମିମି ବର୍ଷା ହୋଇଛି । ସମ୍ବଲପୁରରେ  ୧୯.୩, ଝାରସୁଗୁଡ଼ାରେ ୧୭.୪, ତାଳଚେରରେ  ୧୬.୪, ରାଉରକେଲାରେ ୧୫.୫ ଓ ଅନୁଗୁଳରେ  ୧୫ମିମି ବର୍ଷା ରେକର୍ଡ ହୋଇଛି ।

ଜୁନ୍‌ ୧୫  ତାରିଖ ସୁଦ୍ଧା ୪୨% ନିଅଣ୍ଟିଆ ବର୍ଷା ହୋଇଥିଲା ।  ଗତ ୪ ଦିନରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା  ଯୋଗୁ ୪୨% ନିଅଣ୍ଟିଆ ସ୍ଥିତି ଭରଣା ହୋଇଛି ।  ଶିମିଳିପାଳ ଓ ବରେହିପାଣିରେ ପ୍ରବଳ ବର୍ଷା ହୋଇଛି ।  ସୁବର୍ଣ୍ଣରେଖାରେ ନଦୀ ଜଳ ବିପଦ ସଙ୍କେତ ପାର୍‌ କରିଛି ।

  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.