ବାଲେଶ୍ବର ୪।୮: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ହେବ କି ବଡ଼ ଖୁଲାସା । ମିଳିବ କି କିଛି ବଡ଼ ତଥ୍ୟ । ସାମ୍ନାକୁ ଆସିଲା ଘଟଣା ଦିନର ଆଉ ଏକ ସିସିଟିଭି ଫୁଟେଜ୍ । ସିସିଟିଭିରୁ ମିଳିପାରେ କିଛି ବଡ଼ ସୁରାକ । ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଦିନର ଏକ ଫୁଟେଜ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ବଢ଼ିଛି ସସ୍ପେନ୍ସ । ଫୁଟେଜ୍ରେ ଜଣେ ଛାତ୍ରୀ ଚାନ୍ଦିପୁର ରାସ୍ତାରେ ନିକଟସ୍ଥ ପେଟ୍ରୋଲ ପମ୍ପ୍ ଆଡେ ଯାଉଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଏଫ୍ଏମ୍ କଲେଜ ପୀଡ଼ିତା ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ପୀଡ଼ିତା ଛାତ୍ରୀ ପେଟ୍ରୋଲ କିଣିଥିବା ନେଇ ସନ୍ଦେହ ବଢ଼ିଛି ।
ଜୁଲାଇ ୧୨ ତାରିଖ ଦିନ ଛାତ୍ରୀ ଜଣଙ୍କ କଲେଜ ୟୁନିଫର୍ମରେ ସାଇକେଲ୍ ଯୋଗେ ଯାଉଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି । ସମୟ ଥିଲା ୧୦ଟା ୪୪ ମିନିଟ୍ । ତାଙ୍କ କାନ୍ଧରେ ବ୍ୟାଗ୍ ଥିଲା । ଏହି ସିସିଟିଭି ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ଚର୍ଚ୍ଚା । କୁହାଯାଉଛି ଯେ, ପୀଡ଼ିତା ଛାତ୍ରୀ ଏକାକୀ ସାଇକେଲ ଯୋଗେ ଫକୀରମୋହନ କଲେଜରୁ ଚାନ୍ଦିପୁର ରାସ୍ତାରେ ନିକଟସ୍ଥ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ଆଣିବା ପାଇଁ ଯାଉଥିଲେ । କିନ୍ତୁ ଏନେଇ ସେମିତି କିଛି ସ୍ପଷ୍ଟ କରିନାହାନ୍ତି ପୋଲିସ କି କ୍ରାଇମବ୍ରାଞ୍ଚ । ତେବେ ପେଟ୍ରୋଲ ପମ୍ପ୍ର ସିସିଟିଭି ଫୁଟେଜରୁ ପୀଡ଼ିତା ପେଟ୍ରୋଲ ଆଣିବାର କିଛି ଭିଜୁଆଲ ମିଳିନାହିଁ । ଯାହାକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗିରହିଛି । ପୀଡ଼ିତାଙ୍କୁ କିଏ ଆଣି ପେଟ୍ରୋଲ ଦେଇଥିଲା ନା ସେ ନିଜେ ପେଟ୍ରୋଲ ଆଣିଥିଲେ ତାହା ବି ସ୍ପଷ୍ଟ ହୋଇନି । ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି । କିନ୍ତୁ ପ୍ରକୃତ ଘଟଣା ଏବେବି ରହସ୍ୟ ଘେରରେ ।
ଉଲ୍ଲେଖଯୋଗ୍ୟ ଯେ, ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣାରେ ଏବେସୁଦ୍ଧା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ରବିବାର ବିଳମ୍ବିତ ରାତିରେ ଛାତ୍ରୀ ଆତ୍ମାହୁତି ମାମଲାରେ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଜଣ ଛାତ୍ର ହେଲେ ଜ୍ୟୋତିପ୍ରକାଶ ବିଶ୍ୱାଳ ଏବଂ ଏବିଭିପି ଛାତ୍ର ସଂଗଠନର ସୁଭ୍ରସମ୍ବିତ ନାୟକ । ଉଭୟଙ୍କୁ ଗିରଫ ପରେ SDJMଙ୍କ ନିକଟରେ ହାଜର କରାଯାଇଥିଲା । ଏହାପରେ ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆତ୍ମହତ୍ୟା ପାଇଁ ଉସ୍କାଇବା ଓ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
You Can Read: