ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ୧୦ ଦିନ ସମୟ ମାଗିଲେ ରିଲାଏନ୍ସ ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ। ମଙ୍ଗଳବାର ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହୋଇଥିଲେ ଅନୀଲ ଠକେଇ ସହ ଜଡିତ ଦସ୍ତାବିଜ ଦାଖଲ କରିବା ପାଇଁ ଇଡିକୁ ୧୦ ଦିନ ସମୟ ମାଗିଥିବା ସୂଚନା ମିଳିଛି। ଏ ନେଇ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।
ସମ୍ପୃକ୍ତ ଠକେଇ ମାମଲାରେ ପଚରାଉଚରା ପାଇଁ ୬୬ ବର୍ଷୀୟ ଅନୀଲ ଅମ୍ବାନୀକୁ ଇଡି ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟକୁ ଡକାଇ ଥିଲା। ଏଠାରେ ଅଧିକାରୀମାନେ ତାଙ୍କୁ ଠକେଇ ସମ୍ପର୍କରେ ପଚରାଉଚରା କରିବା ସହିତ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି।
ପଚରାଉଚରା ସମୟରେ, ଅନିଲ ଅମ୍ବାନୀ ଇଡି ଅଧିକାରୀମାନଙ୍କୁ କହିଥିଲେ ଯେ ଠକେଇ ମାମଲା ସହିତ ଜଡିତ ଡକ୍ୟୁମେଣ୍ଟ ଏବଂ ତଥ୍ୟ ସଂଗ୍ରହ କରିବାକୁ ତାଙ୍କୁ ଅତି କମରେ ସାତରୁ ଦଶ ଦିନ ସମୟ ଲାଗିବ।। ଏହାପରେ ଇଡି ତାଙ୍କୁ ସମୟ ଦେଇଛି। ୭-୧୦ ଦିନ ମଧ୍ୟରେ ସଂସ୍ଥା ତାଙ୍କୁ ପୁଣିଥରେ ସମନ କରିପାରେ।
୧୭,୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ ଏବଂ ଋଣ ଠକେଇ ମାମଲାରେ ଅନିଲଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ଅନିଲ ଅମ୍ବାନୀ ଏହି ମାମଲାରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଏବଂ କହିଥିଲେ ଯେ ସମସ୍ତ ଆର୍ଥିକ ନିଷ୍ପତ୍ତି ତାଙ୍କ କମ୍ପାନୀଗୁଡ଼ିକର ଆଭ୍ୟନ୍ତରୀଣ ବୋର୍ଡ ଦ୍ୱାରା ନିଆଯାଇଥିଲା ଏବଂ ପରେ ସେ କେବଳ ସେଥିରେ ସ୍ୱାକ୍ଷର କରିଥିଲେ।
ମାମଲାରେ ପୂର୍ବରୁ, ଇଡି ଅନିଲ ଅମ୍ବାନୀଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତଦନ୍ତକାରୀ ଅଧିକାରୀଙ୍କ ଅନୁମୋଦନ ବିନା ଅନିଲ ଅମ୍ବାନୀ ଭାରତ ଛାଡିପାରିବେ ନାହିଁ। ଯଦି ସେ ବିଦେଶ ଯିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଅଟକ ରଖାଯାଇପାରେ।
ଜୁଲାଇ ୨୪ ତାରିଖରେ, ଇଡି ମୁମ୍ବାଇ ଏବଂ ଦିଲ୍ଲୀରେ ରିଲାଏନ୍ସ ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ ସହିତ ଜଡିତ ୫୦ରୁ ଅଧିକ କମ୍ପାନୀ ଏବଂ ସ୍ଥାନରେ ଚଢାଉ କରିଥିଲା। ୨୫ ରୁ ଅଧିକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଏହି ଚଢାଉ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ର ଧାରା ୧୭ ଅନୁଯାୟୀ କରାଯାଇଥିଲା।