ବାଙ୍କୀ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହାତୀ ମୃତ୍ୟୁ । ବସ୍ତମୁଣ୍ଡା ସାହି ନିକଟସ୍ଥ କାଜୁ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଛି । ଏକ ଦନ୍ତା ହାତୀ ଆକ୍ରମଣରେ ହାତୀଟି ଆହତ ହୋଇଥିଲା । ଚନ୍ଦକା ବନ ବିଭାଗ ହାତୀର ଚିକିତ୍ସା କରୁଥିଲେ । ହେଲେ ଆଜି ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଚନ୍ଦକା ଅଭୟାରଣ୍ୟର ଡିଏଫ୍ଓ ଶରତ ବେହେରା ।
ସୂଚନା ଅନୁଯାୟୀ, ଗତ ୧୬ ତାରିଖରୁ ହାତୀଟି ଆହତ ଅବସ୍ଥାରେ ବନ ବିଭାଗ ନଜରକୁ ଆସିଥିଲା । ପରେ ସ୍ବତନ୍ତ୍ର ଡାକ୍ତରୀଦଳ ତା’ର ଚିକିତ୍ସା କରୁଥିଲେ । ତେବେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚନ୍ଦକା ଅଭୟାରଣ୍ୟ ଡିଏଫ୍ଓ, ଏସିଏଫ୍ ଓ ରେଞ୍ଜରଙ୍କ ସହିତ ଅନ୍ୟ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଗୁରୁବାର ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯିବ ।