‘ ଦିଦି ଯଦି ସାହସ ଅଛି ତ ... ’ , କୋଲକାତାରେ ପହଞ୍ଚି ମମତାଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହ

Published By : Prameya-News7 Bureau | June 01, 2025 IST

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ କୋଲକାତାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକକୁ କରିଛନ୍ତି ସମ୍ୱୋଧିତ। ଏହି ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଅମିତ ଶାହ କହିଛନ୍ତି ଯେ, ଯଦି ଦିଦିଙ୍କ (ମମତା ବାନାର୍ଜୀ) ପାଖରେ ସାହସ ଅଛି ତ ବିନା ହିଂସାକାଣ୍ଡରେ  ନିର୍ବାଚନ ଲଢି ଦେଖାଅ।ତାଙ୍କର ଜାମିନ ଜବତ ହୋଇଯିବ। ଶାହ କହିଛନ୍ତି , ମମତା ବାନାର୍ଜୀ ଭୋଟବ୍ୟାଙ୍କ୍‌ ପାଇଁ ତୃଷ୍ଟୀକରଣର ସବୁ ସୀମା ସରହଦ  ଅତିକ୍ରମ କରି ସାରିଛନ୍ତି। ଆମ ଲୋକଙ୍କୁ ପହଲଗାମରେ ହତ୍ୟା କରାଗଲା। ‘ଅପରେସନ ସିନ୍ଦୂର’ ଦ୍ୱାରା ଆମେ ୧୦୦ କି.ମି (ପାକିସ୍ତାନ ଭିତରେ) ଯାଇ ତାଙ୍କର ମୁଖ୍ୟାଳୟକୁ ଧ୍ୱଂସ କରି ଦେଲୁ। ଶହ ଶହ ଆତଙ୍କବାଦୀ ନିପାତ ହେଲେ ଏବଂ ଏଥିରେ ଦିଦିଙ୍କ ଛାତିରେ ଆଘାତ ଲାଗୁଛି। ସେ ଏକ ରାଜନୀତିକ ଭାଷଣ ଦେଇ ଅପରେସନ ସିନ୍ଦୂରର ବିରୋଧ କଲେ। ସେ ଦେଶର କୋଟି କୋଟି ମହିଳାଙ୍କ ଭାବନା ସହ ମଧ୍ୟ ଖେଳିଲେ। ପଶ୍ଚିମବଙ୍ଗର ଭଉଣୀ ଓ ମାତାଙ୍କୁ ଆସନ୍ତା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ସିନ୍ଦୂରର ମୂଲ୍ୟ ଶିଖାଇବା ଉଚିତ୍‌।

ଅମିତ ଶାହ କହିଛନ୍ତି ଯେ, ଆମକୁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବାର ଅଛି। ଅନୁପ୍ରବେଶ ରୋକିବା , ଦୁର୍ନୀତି ରୋକିବା ଓ ହିନ୍ଦୁଙ୍କ ପଳାୟନକୁ ରୋକିବା। ସେ କହିଛନ୍ତି , ବର୍ଷ ବର୍ଷ ଯାଏ ବଙ୍ଗଳାରେ କମ୍ୟୁନିଷ୍ଟଙ୍କ ଶାସନ ଥିଲା। ଏହାପରେ ମମତା ବାନାର୍ଜୀ ‘ ମାଆ, ମାଟି, ମାନୁଷ ’ର ନାରା ଦେଇ ଆସୁଛନ୍ତି। ସେ ବଙ୍ଗଳାର ମହାନ ମାଟିକୁ  ଅନୁପ୍ରବେଶ , ମହିଳାଙ୍କ ଉପରେ ଅତ୍ୟାଚାର , ଅପରାଧ , ବୋମା ବିସ୍ଫୋରଣ ଓ ହିନ୍ଦୁଙ୍କ ସହ ଅନୈତିକତାର ମାଟିରେ ବଦଳାଇ ଦେଇଛନ୍ତି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ପଶ୍ଚମ ବଙ୍ଗର ଶହ ଶହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରା ଯାଇଛି। ଦିଦି ,  ମୋ କଥା ଶୁଣନ୍ତୁ , ଏବେ ଆପଣଙ୍କର ସମୟ ଶେଷ ହୋଇ ଯାଇଛି। ବିଜେପି ୨୦୨୬ରେ ଏଠାରେ ସରକାର ଗଢିବ। 

ଚାକିରିକୁ ନେଇ ମଧ୍ୟ ଶାହ ମମତାଙ୍କୁ ଘେରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି , କୋଲକାତାର ବଜାରରେ ଯୁବବର୍ଗଙ୍କ ଚାକିରି ବିକ୍ରି ହୁଏ। ଏମାନଙ୍କ ଘରୁ  (ଟିଏମସି) ଏତେ ଟଙ୍କା ଧରା ଯାଏ ଯେ, ଗଣି ଗଣି ମେସିନ୍‌ ଥକି ଯାଏ। ଏବେ ଏହି କାର୍ଯ୍ୟକୁ ବନ୍ଦ କରିବାକୁ ହେବ। ସେ କହିଛନ୍ତି , ବଙ୍ଗଳାର ନିର୍ବାଚନ କେବଳ ବଙ୍ଗଳାର ଭବିଷ୍ୟତକୁ ସ୍ଥିର କରି ନଥାଏ , ଏହାସହ ଦେଶର ସୁରକ୍ଷା ସହ ବି ଜଡ଼ିତ। କାରଣ ମମତା ବାନାର୍ଜୀ ବଙ୍ଗଳାର ସୀମା ଗୁଡ଼ିକୁ ବାଂଲାଦେଶୀଙ୍କ ପାଇଁ ଖୋଲା ଛାଡ଼ି ଦେଇଛନ୍ତି। ତାଙ୍କର ଆଶୀର୍ବାଦରେ ବଙ୍ଗଳାରେ ଅନୁପ୍ରବେଶ ହେଉଛି। ଏହି ଅନୁପ୍ରବେଶକୁ କେବଳ ବିଜେପିର ସରକାର ହିଁ ରୋକି ପାରିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.