ନୂଆଦିଲ୍ଲୀ ୧୯/୦୬: ଇରାନ ବିରୋଧରେ ଯୁଦ୍ଧ ମୈଦାନକୁ ଏଣ୍ଟ୍ରି କରିବାକୁ ଯାଉଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନାକୁ ଅନୁମୋଦନ କରିଛନ୍ତି । ସେ ଚୂଡ଼ାନ୍ତ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବାକୁ କହିଛନ୍ତି । ଟ୍ରମ୍ପ ତାଙ୍କ ବରିଷ୍ଠ ସହକର୍ମୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।
ଏହି ସମୟରେ ସେ ଆକ୍ରମଣକୁ ଅନୁମୋଦନ କରିଥିଲେ । ସେ କହିଥିଲେ ଯେ ଚୂଡ଼ାନ୍ତ ନିର୍ଦ୍ଦେଶ ପରେ ଆକ୍ରମଣ କରାଯିବ । ସେ ଦେଖିବାକୁ କହିଥିଲେ ଯେ ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଛାଡିବାକୁ ରାଜି ଅଛି କି ନାହିଁ । ରଏଟର୍ସ ଏହାର ରିପୋର୍ଟରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବରକୁ ସ୍ପଷ୍ଟ କରିଛି । ରିପୋର୍ଟରେ ବୈଠକରେ ଉପସ୍ଥିତ ତିନି ଜଣ ବ୍ୟକ୍ତି ଏ ବିଷୟରେ କହିଛନ୍ତି ।
ରଏଟର୍ସ ରିପୋର୍ଟରେ କୁହାଯାଇଛି,ରାଷ୍ଟ୍ରପତି ଆଶା କରୁଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ସାମିଲ ହେବାର ଆଶଙ୍କା ହେତୁ ତେହେରାନ ତାର ପରମାଣୁ କାର୍ଯ୍ୟକ୍ରମ ଛାଡିବ। ଟ୍ରମ୍ପ୍ଙ୍କ ବୈଠକ ପୂର୍ବରୁ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ତାଙ୍କ ଧମକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି ଯେ ଯଦି ଆମେରିକା ଆକ୍ରମଣରେ ଯୋଗ ଦିଏ, ତେବେ ଏହାର "ଖରାପ ପରିଣାମ" ହେବ । ସେ କହିଛନ୍ତି ଯେ ଇରାନ କେବେ ମୁଣ୍ଡ ନୁଆଁଇବ ନାହିଁ। ସେ ଚେତାବନୀ ଦେଇଛନ୍ତି ଯେ ଯେକୌଣସି ଆମେରିକୀୟ ସାମରିକ ହସ୍ତକ୍ଷେପର କଡ଼ା ଜବାବ ଦିଆଯିବ । ଯାହା ଆମେରିକାକୁ "ଅପୂରଣୀୟ କ୍ଷତି" କରିବ ।
ଡୋନାଲ୍ଡ ଟ୍ରମ୍ପ ତାଙ୍କଠାରୁ ଆତ୍ମସମର୍ପଣ ଦାବି କରିଥିଲେ। ତଥାପି, ଖାମେନି କହିଛନ୍ତି, ଇରାନ, ଇରାନ ରାଷ୍ଟ୍ର ଓ ଏହାର ଇତିହାସକୁ ଜାଣିଥିବା ବୁଦ୍ଧିମାନ ଲୋକମାନେ କେବେବି ଏହି ରାଷ୍ଟ୍ର ସହିତ ଧମକପୂର୍ଣ୍ଣ ଭାଷାରେ କଥା ହେବେ ନାହିଁ, କାରଣ ଇରାନ ରାଷ୍ଟ୍ର ଆତ୍ମସମର୍ପଣ କରିବ ନାହିଁ।"