ମଙ୍ଗଳ ଗ୍ରହରେ ଓହ୍ଲାଇବ ମଣିଷ: ଇଏ ହେବେ ପ୍ରଥମ

Published By : Prameya-News7 Bureau | July 08, 2025 IST

wione

ନୂଆଦିଲ୍ଲୀ: ବର୍ତ୍ତମାନ ମହାକାଶ ଗବେଷଣା କ୍ଷେତ୍ରରେ ମଙ୍ଗଳ ଗ୍ରହକୁ ନେଇ ସମସ୍ତଙ୍କର ଉତ୍ସାହ ରହିଛି। ଟେସଲା ସିଇଓ ଏଲନ ମସ୍କ ଆଗାମୀ ଦଶନ୍ଧିରେ ମଙ୍ଗଳ ଗ୍ରହରେ ମଣିଷଙ୍କୁ ଓହ୍ଲାଇବାକୁ ଚାହୁଁଛନ୍ତି। ସେପଟେ ନାସା ମଧ୍ୟ ଏହି ଲାଲ ଗ୍ରହରେ ଉପନିବେଶ ସ୍ଥାପନ କରିବାକୁ ସ୍ୱପ୍ନ ଦେଖୁଛି। ପୃଥିବୀ ଅତ୍ୟଧିକ ଗରମ ହେଉଛି, ଅବକ୍ଷୟମୁଖୀ ହେଉଛି। ତେଣୁ ମାନବ ଜାତିକୁ ବଞ୍ଚାଇବା ପାଇଁ, ବିଶେଷଜ୍ଞମାନେ ମଙ୍ଗଳ ଗ୍ରହ ଆଡ଼କୁ ଚାହିଁ ରହିଛନ୍ତି। ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି ମଙ୍ଗଳ ଗ୍ରହକୁ ପ୍ରଥମେ ଯିବ କିଏ ?

ଏହି ଲେଖା ମାଧ୍ୟମରେ ଆଜି ଆମେ ଆପଣଙ୍କୁ ସେହି ମହିଳାଙ୍କ ସହ ପରିଚିତ କରାଇବୁ ଯିଏ ପ୍ରଥମେ ମଙ୍ଗଳଗ୍ରହକୁ ଯାତ୍ରୀ କରିବାକୁ ନିଜର ପ୍ରସ୍ତୁତି ଚଳାଇଛନ୍ତି। ମଙ୍ଗଳଗ୍ରହକୁ ଯାତ୍ରା ତାଙ୍କର ଜୀବନ ବ୍ୟାପୀ ସାଧନା। ସେ ପିଲାବେଳୁ ମଙ୍ଗଳଗ୍ରହକୁ ଯିବାକୁ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ଏଥିପାଇଁ ଉତ୍ତମ ବ୍ୟବସ୍ଥା କରାଯିବ। ପ୍ରଶିକ୍ଷଣ ଦିଆଯିବ। ସବୁକିଛି ଠିକ୍‌ଠାକ୍ ହେଲେ ପିଲାବେଳର ସ୍ୱପ୍ନ ସାକାର କରିବେ ୨୪ ବର୍ଷୀୟା ଆମେରିକୀୟ ବୈଜ୍ଞାନିକ ଆଲିସା କାର୍ସନ।

ଆମେରିକାର ଲୁସିୟାନା ରାଜ୍ୟର ବାଟନ ରଗରେ ରହୁଥିବା ଆଲିସା ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳୁ ମଙ୍ଗଳଗ୍ରହକୁ ଯିବାକୁ ସ୍ୱପ୍ନ ଦେଖି ଆସୁଛନ୍ତି। ଯଦିଓ ସେ ଜାଣିଛନ୍ତି ଯେ ମଙ୍ଗଳଗ୍ରହ ଯାତ୍ରା ତାଙ୍କ ପାଇଁ କାଳ ବି ହେଇପାରେ। ହେଲେ ତାଙ୍କର ଅଦମ୍ୟ ଅଭିଳାଷା ଓ ଗବେଷଣାତ୍ମକ ମାନସିକତା ତାଙ୍କୁ ମଙ୍ଗଳ ଗ୍ରହ ଆଡ଼କୁ ଆକୃଷ୍ଟ କରୁଛି। ତେଣୁ ମଙ୍ଗଳ ଗ୍ରହକୁ ଯାତ୍ରା କରିବାରେ ସେ ପ୍ରଥମ ମାନବ ହୋଇପାରନ୍ତି। ତାଙ୍କର ନାସା କଲସାଇନ୍ ହେଉଛି 'ନାସା ବ୍ଲୁବେରୀ'। ଏବଂ ସେ ବର୍ତ୍ତମାନ ଆଷ୍ଟ୍ରୋବାୟୋଲୋଜିରେ ପିଏଚଡି ପାଇଁ ଅଧ୍ୟୟନ କରୁଛନ୍ତି। 

ଏହି ମିଶନ କେବେ ହେବ? 

ବର୍ତ୍ତମାନ ୨୦୩୩ରେ ମଙ୍ଗଳ ଗ୍ରହକୁ ମାନବ ପଠାଇବାର ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏବଂ କାର୍ସନ ପ୍ରଥମ ମଙ୍ଗଳଗ୍ରହର ଯାତ୍ରୀ ହେବାକୁ ସ୍ଥିର କରିଛନ୍ତି। ୨୪ ବର୍ଷୀୟା ଯୁବତୀ ସମ୍ପ୍ରତି ଫ୍ଲାଇଟ୍ କ୍ଲବ୍ ପୋଡକାଷ୍ଟରେ ଏନେଇ ନିଜର ପ୍ରତିକ୍ରିୟା ଦେଇଥିଲେ। ମଙ୍ଗଳ ଗ୍ରହକୁ ମଣିଷ ପଠାଇବାର ଗୁରୁତ୍ୱ ଏବଂ ଏହା କିପରି ପୃଥିବୀବାସୀଙ୍କ ଲାଲ ଗ୍ରହ ପ୍ରତି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବ ସେ ବିଷୟରେ କହିଥିଲେ।

ଆଲିସାଙ୍କ କହିବା କଥା ହେଲା ପୃଥିବୀ ପରେ ମଙ୍ଗଳ ଗ୍ରହକୁ ନେଇ ଲୋକଙ୍କର ଅଧିକ ରୁଚି ରହିଛି। ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ପ୍ରତି ମଣିଷ ଆକର୍ଷିତ ହୋଇଛି। କାରଣ ପୃଥିବୀ ପରେ ମଙ୍ଗଳଗ୍ରହରେ ଜୀବନ ସମ୍ଭବ ବୋଲି ବୈଜ୍ଞାନିକମାନେ ଭାବୁଛନ୍ତି। ତେଣୁ ନାସା, ଇଏସଏ ଏବଂ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକ ଲାଲ ଗ୍ରହରେ ରୋଭର୍ସଙ୍କୁ ଅବତରଣ କରାଇଛନ୍ତି। ଯାହା ଦ୍ୱାରା ସେହି ଶୁଷ୍କ ଭୂମି ଅନୁସନ୍ଧାନ କରାଯାଇପାରିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.