ନୂଆଦିଲ୍ଲୀ: ବର୍ଷା ବିତ୍ପାତ, ଅସ୍ୱାଭାବିକ ବନ୍ୟା, ମରୁଡ଼ି, ଗ୍ଲେସିୟର ତରଳିବା ଏବଂ ଜଙ୍ଗଲ ନିଆଁ ଭଳି ଘଟଣା ଦେଖିବାରୁ ମିଳୁଛି । ଏବେ ଏହି ଅସ୍ବାଭାବିକ ଘଟଣାରେ ଯୋଡ଼ି ହୋଇଛି ବିନାଶକାରୀ ଜଳବାୟୁ ପରିବର୍ତ୍ତନ । ପୃଥିବୀରେ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ବଢ଼ିବାରେ ଲାଗିଛି । ଯାହା ପ୍ରାଣୀ ଜଗତ ପାଇଁ ଅତ୍ୟନ୍ତ ଅନିଷ୍ଟକାରୀ । ଆଗ ଭଳି ବୃକ୍ଷ, ମାଟି ଓ ସମୁଦ୍ର ଅଙ୍ଗାରକାମ୍ଳ ଗ୍ୟାସକୁ ଆଉ ଶୋଷୁନାହିଁ । ଏହି ପ୍ରାକୃତିକ ପ୍ରକ୍ରିୟା ମୋଟାମୋଟି ଭାବେ ବନ୍ଦ ହେବାରେ ଲାଗିଛି । ଗତବର୍ଷ ବୃକ୍ଷ, ମାଟି ଓ ସମୁଦ୍ର ପ୍ରାୟ କୌଣସି ଅଙ୍ଗାରକାମ୍ଳ ଶୋଷି ନ ଥିବା ଏକ ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହା ଯୋଗୁ ଆଗକୁ ଭୟଙ୍କର ବିପତ୍ତି ମାଡ଼ି ଆସିବ ବୋଲି କୁହାଯାଉଛି ।
ମଣିଷ ଦ୍ୱାରା ସୃଷ୍ଟ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିନେବାରେ ପୃଥିବୀର ବିଶାଳ ଜଙ୍ଗଲ, ଘାସ ପଡ଼ିଆ ଏବଂ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । କିନ୍ତୁ ବର୍ଷ ୨୦୨୩ରେ ସେଭଳି କିଛି ଘଟିନାହିଁ । ୨୦୨୩ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା । ଅସ୍ୱାଭାବିକ ତାତି ଅନୁଭୂତ ହୋଇଥିଲା । ଏହା ପଛରେ ଜଳବାୟୁ ପରିବର୍ତ୍ତନ ହିଁ ପ୍ରମୁଖ କାରଣ । ପ୍ରଚଣ୍ଡ ତାତି କାରଣରୁ ପ୍ରକୃତିରେ ଅଙ୍ଗାରକାମ୍ଳ ଶୋଷଣ ପ୍ରଭାବିତ ହୋଇଛି ।
ହଜାର ହଜାର ପ୍ରାକୃତିକ ଗତିବିଧି ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରିଥାଏ । ସଦ୍ୟ ଗବେଷଣା ମୁତାବକ ସମୁଦ୍ର, ଜଙ୍ଗଲ ଏବଂ ମାଟିର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟାକୁ ଏକ ‘ସ୍ପଞ୍ଜ୍’ର ଉଦାହରଣ ଭାବେ ନେଇହେବ । ସ୍ପଞ୍ଜ୍ ଯେମିତି ଅନ୍ୟ ସାମଗ୍ରୀକୁ ଶୋଷିନିଏ, ଠିକ୍ ସେମିତି ଆମ ଚତୁଃପାଶ୍ୱର୍ରେ ଥିବା ବୃକ୍ଷ, ମହାସାଗର ଏବଂ ମାଟି ସ୍ପଞ୍ଜ୍ ଭାବେ କାମ କରିଥାନ୍ତି । ବୃକ୍ଷ, ମହାସାଗର ଓ ମାଟି ବାୟୁମଣ୍ଡଳକୁ ଯେତେ ଅଙ୍ଗାରକାମ୍ଳ ଛାଡ଼ନ୍ତି, ତା’ଠାରୁ ଢେର ଅଧିକ ଶୋଷି ନେଇଥାନ୍ତି । ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ସନ୍ତୁଳିତ ରହିଥାଏ । ତେଣୁ ସବୁବେଳେ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥାଏ ।
‘ଦ ଗାର୍ଡିଆନ୍’ରେ ପ୍ରକାଶିତ ରିପୋର୍ଟ ମୁତାବକ, ପୃଥିବୀରେ ଥିବା ମହାସାଗର, ଜଙ୍ଗଲ, ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରକ୍ରିୟା ମାନବ ଦ୍ୱାରା ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ପ୍ରାୟ ଅଧା ଭାଗକୁ ଶୋଷି ନେଇଥାଏ । କିନ୍ତୁ ପୃଥିବୀ ଯେଉଁଭଳି ଭାବେ ଗରମ ହେବାରେ ଲାଗିଛି, ତାହାକୁ ନେଇ ବୈଜ୍ଞାନିକମାନଙ୍କୁ ଚିନ୍ତା ଖାଉଛି ଯେ ପ୍ରକୃତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକ୍ରିୟା ଏବେ ବିପଦରେ ପଡ଼ିଛି ।
ଗ୍ରୀନଲାଣ୍ଡର ଗ୍ଲେସିୟର ଏବଂ ଆର୍କଟିକର ବରଫ ଚାଦର ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଏହାଦ୍ୱାରା ଗଲ୍ଫ ଷ୍ଟ୍ରିମ୍ ମହାସାଗରର ଧାରା ପ୍ରଭାବିତ ହେଉଛି । ଏହି କାରଣରୁ ମହାସାଗରର ଅଙ୍ଗାରକାମ୍ଳ ଶୋଷିବା ହାର ତଳମୁହାଁ ହେଉଛି । ରିପୋର୍ଟ ମୁତାବକ, ସାମୁଦ୍ରିକ ବରଫ ଏଲ୍ଗି ଖାଉଥିବା ଜୁପ୍ଲାଙ୍କଟନ୍ କୁ ଅତ୍ୟଧିକ ଖରା ସଂସ୍ପର୍ଶରେ ଆଣୁଛି । ବୈଜ୍ଞାନିକଙ୍କ ମତ ଯେ ଏହି ପରିବର୍ତ୍ତନ ଯୋଗୁ ସେଗୁଡ଼ିକୁ ଦୀର୍ଘ ସମୟ ଧରି ଗଭୀରରେ ରହିବାକୁ ପଡ଼ିପାରେ । ଏହି କାରଣରୁ ସମୁଦ୍ର ତଳଭାଗରେ ଅଙ୍ଗାରକାମ୍ଳକୁ ଗଚ୍ଛିତ ରଖିବା ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।
ନ୍ୟୁୟର୍କରେ ସଦ୍ୟ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୋଟ୍ସଡାମ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚ ନିର୍ଦ୍ଦେଶକ ଜୋହାନ୍ ରକ୍ଷ୍ଟ୍ରମ୍ କହିଥିଲେ, ପୃଥିବୀର ପ୍ରଣାଳୀରେ ଆମେ ଅନେକ ପ୍ରକାର ପ୍ରତିବନ୍ଧକ ଆସୁଥିବା ଦେଖିବାକୁ ପାଉଛୁ । ଭୂମିରେ ଅନେକ ଫାଟ ସୃଷ୍ଟି ହେଉଛି । ଭୂମି ନିଜ ଅଙ୍ଗାରକାମ୍ଳ ଶୋଷିବା କ୍ଷମତାକୁ ହରାଇବାରେ ଲାଗିଛି । ମହାସାଗର ବି ଅସ୍ଥିରତାର ସଂକେତ ଦେଉଛି । ପ୍ରକୃତି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦ୍ୱାରା ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳକୁ ସନ୍ତୁଳିତ ରଖିଆସୁଛି । କିନ୍ତୁ ଏବେ ଏହି ପ୍ରକ୍ରିୟା ଶେଷ ହେବାରେ ଲାଗିଛି ।
ରିପୋର୍ଟ ମୁତାବକ, ୨୦୨୩ରେ ଅଙ୍ଗାରକାମ୍ଳ ଶୋଷଣରେ ହ୍ରାସ ଦେଖାଯିବା ଘଟଣା ଅସ୍ଥାୟୀ ହୋଇପାରେ । କିନ୍ତୁ ମଣିଷ ସମାଜ ପାଇଁ ଏହା ଏକ ଚେତାବନୀ ସଦୃଶ । ଯଦି ମରୁଡ଼ି ସ୍ଥିତି ବା ଜଙ୍ଗଲ ନିଆଁ ଭଳି ଘଟଣା ନ ଘଟେ, ତେବେ ଭୂମି ପୁଣି ଅଙ୍ଗାରକାମ୍ଳ ଶୋଷିବା ପ୍ରକ୍ରିୟାକୁ ଫେରି ପାଇପାରିବ । ପରିସଂସ୍ଥାନର ଏହି ଭୟଙ୍କର ପରିବର୍ତ୍ତନ ଦର୍ଶାଉଛି ଯେ ଜଳବାୟୁ ସଙ୍କଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ ।
ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରକୃତିର ସହାୟତା ବିନା ଶୂନ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନରେ ପହଞ୍ଚିବା ଅସମ୍ଭବ । ୨୦୨୩ରେ ଅଙ୍ଗାରକାମ୍ଳ ପ୍ରଦୂଷଣ ରେକର୍ଡ ୩୭.୪ ବିଲିୟନ୍ ଟନ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳକୁ ବୃହତ୍ ମାତ୍ରାରେ ହଟାଉଥିବା ସାଧନରେ ଅଭାବ ଯୋଗୁ ପୃଥିବୀର ବିଶାଳ ଜଙ୍ଗଲ, ଘାସ ଏବଂ ପଡ଼ିଆ ଓ ମହାସାଗର ହିଁ ଅଙ୍ଗାରକାମ୍ଳ ଶୋଷିବାରେ ଏକମାତ୍ର ବିକଳ୍ପ । ୧୧୮ ଦେଶ ରାଷ୍ଟ୍ରୀୟ ଜଳବାୟୁ ଲକ୍ଷ୍ୟ ପୂରଣ ନିମନ୍ତେ ଭୂମି ଉପରେ ନିର୍ଭର କରୁଛନ୍ତି । କିନ୍ତୁ ବର୍ଦ୍ଧିତ ତାପମାତ୍ରା, ପ୍ରତିକୂଳ ପାଣିପାଗ ଏବଂ ମରୁଡ଼ି କାରଣରୁ ଏହା ଉପର କୁପ୍ରଭାବ ପଡ଼ୁଛି ।
ରିପୋର୍ଟ ମୁତାବକ, କେବଳ କଙ୍ଗୋ ବେସିନ୍ରେ ଏକ ମଜଭୁତ ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟା ବଳବତ୍ତର ରହିଛି । ଯାହା କି ବାୟୁମଣ୍ଡଳରେ ଯେତେ ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି, ତାହାକୁ ଶୋଷି ନେଉଛି । ଅନ୍ୟପକ୍ଷରେ ଏଲ୍ ନିନୋ, ଜଙ୍ଗଲ ନଷ୍ଟ ଓ ବିଶ୍ୱତାପନ କାରଣରୁ ଆମାଜନ୍ ବେସିନ୍ ରେକର୍ଡ ମରୁଡ଼ିର ସାମ୍ନା କରୁଛି । ଏଠାରେ ନଦୀଗୁଡ଼ିକର ଜଳସ୍ତର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ପ୍ରକୃତିରେ ମହାସାଗର ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ଶୋଷିନେଇଥାଏ । ବିଗତ ଦଶନ୍ଧିଗୁଡ଼ିକରେ ମହାସାଗରଗୁଡ଼ିକ ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ୯୦ ପ୍ରତିଶତ ଗରମକୁ ଟାଣିନେଇଛି । ଏହି କାରଣରୁ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି । ଏହାଦ୍ୱାରା ମହାସାଗରର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ଦୁର୍ବଳ ହେବାରେ ଲାଗିଛି । ଯଦି ଏହିଭଳି ଭାବେ ଅଙ୍ଗାରକାମ୍ଳ ଶୋଷଣ ପ୍ରଭାବିତ ହୁଏ, ମାନବ ସମାଜ ପାଇଁ ଏହା ଭୟଙ୍କର ବିପତ୍ତି ଡାକିଆଣିବ ।