ଦ୍ବନ୍ଦ୍ବ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଆସନ୍ତା ୨୦ରେ ଖୋଲିବ ସମସ୍ତ ସ୍କୁଲ

Published By : Prameya-News7 Bureau | June 17, 2025 IST

ବାରିପଦା ୧୭।୬: ସ୍କୁଲ ଖୋଲିବା ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ୨୦ ତାରିଖରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ୧୮ ତାରିଖରେ ବେସରକାରୀ ସ୍କୁଲ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଯେଉଁ ଦ୍ବନ୍ଦ୍ବକୁ ଆଜି ଗଣଶିକ୍ଷା ମନ୍ତ୍ରୀ ଦୂର କରିଛନ୍ତି । 

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ୯ ଜିଲ୍ଲାରେ ଡାଇରିଆ ସାଙ୍ଗକୁ ରାଜ୍ୟରେ କୋଭିଡ୍ ମଧ୍ୟ ସକ୍ରିୟ ରହିଛି । ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲ ପରିସରରେ ଯଥେଷ୍ଟ ସ୍ବଚ୍ଛତା ରଖାଯିବ । ଏହା ସହିତ ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବ । ହଇଜା ଭଳି ରୋଗ ରାଜ୍ୟରେ ବ୍ୟାପୁଥିବାରୁ ତାର ପ୍ରତିକାର ଲାଗି ମଧ୍ୟ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା   ୨୦ ତାରିଖରେ  ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ନିର୍ଦ୍ଦେଶ   ଦିଆଯାଇଥିଲା । ଏନେଇ ସବୁ ଜିଲ୍ଲାର  ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି ।  ସ୍କୁଲ ଖୋଲିବା ପରେ ପୁଣି ମିଳିବ  ମଧ୍ୟାହ୍ନ ଭୋଜନ । ପିଲା ଖାଉଥିବା ମଧ୍ୟାହ୍ନ ଭୋଜନକୁ ଅଭିଭାବକମାନେ ଚାଖିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ମଧ୍ୟାହ୍ନ  ଭୋଜନ ମାନ ପରଖିବେ ଅଭିଭାବକ ।  ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ । ଏଥିପାଇଁ ଜିଲ୍ଲା ଶିକ୍ଷା  ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ  ବୈଠକ କରିବେ । ସ୍କୁଲରେ ମାନ ପରୀକ୍ଷଣ ରେଜିଷ୍ଟର ରହିବ । ଯେପରି   ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ   ଖାଦ୍ୟ ମିଳିବ ତା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ମଧ୍ୟାହ୍ନ ଭୋଜନରୁ  କୌଣସି ଛାତ୍ରଛାତ୍ରୀ ବଞ୍ଚିତ ହେବେନି  ବୋଲି ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି  । ୨୦ରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଆସିବାକୁ ଥିବାବେଳେ ଏହାର ପୂର୍ବଦିନ ଅର୍ଥାତ୍ ୧୯ ତାରିଖରେ ସମସ୍ତ ଶିକ୍ଷକ,   ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକମାନେ ସ୍କୁଲ ଆସି ରୋଷେଇଶାଳ, ଖାଇବା ସ୍ଥାନ ସଫେଇ କରିବା ସହ  ବୈଦ୍ୟୁତିକ ଉପକରଣ ଯାଞ୍ଚ କରିବେ ।

You Can Read:

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.