ନୂଆଦିଲ୍ଲୀ ୩।୭: ଆଇଆଇଟି ଦିଲ୍ଲୀ, ଅନ୍ତର୍ଜାତୀୟ ଜନସଂଖ୍ୟା ବିଜ୍ଞାନ ସଂସ୍ଥାନ ମୁମ୍ବାଇ, ବ୍ରିଟେନ ଓ ଆର୍ୟଲ୍ୟାଣ୍ଡ ସଂସ୍ଥାନଙ୍କ ମିଳିତ ଗବେଷକଙ୍କ ଟିମ୍ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ-୫ ଓ ରିମୋଟ ସେନସିଂ ଡାଟାର ଅଧ୍ୟୟନ କରିଛନ୍ତି। ରିପୋର୍ଟ ଅନୁସାରେ ଭାରତର ଜନସାଂଖ୍ୟିକ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ୨୦୧୯-୨୧ ଅନୁସାରେ ଦେଶରେ ୧୩% ଶିଶୁଙ୍କ ଜନ୍ମ ସମୟ ପୂର୍ବରୁ ହେଉଛି। ସେହିପରି ୧୭% ଶିଶୁଙ୍କ ଓଜନ ଜନ୍ମ ସମୟରେ କମ ରହୁଥିବା କୁହାଯାଇଛି। ଯାହା ଏବେ ଚିନ୍ତାଜନକ ପାଲଟିଛି।
ରିପୋର୍ଟରେ ବାୟୁ ପ୍ରଦୂଷଣକୁ ଜନ୍ମ ସମ୍ପର୍କିତ ପ୍ରତିକୂଳ ପ୍ରଭାବର ବଡ଼ କାରଣ ବୋଲି କୁହାଯାଇଛି। ଗବେଷକମାନେ ଗର୍ଭାବସ୍ଥା କାଳରେ ବାୟୁ ପ୍ରଦୂଷଣ ସମ୍ପର୍କରେ ଆସିବା ଯୋଗୁ ପ୍ରସବ ପରିଣାମ ଉପରେ ପ୍ରଭାବର ବିଶ୍ଲେଷଣ କରିଛନ୍ତି। ଏଥିରୁ ଗର୍ଭାବସ୍ଥା କାଳରେ ପିଏମ ୨.୫ (ସୁକ୍ଷ୍ମ କଣ ପ୍ରଦୂଷଣ) ସମ୍ପର୍କରେ ଅଧିକ ରହିବା କାରଣରୁ ଜନ୍ମ ସମୟରେ କମ ଓଜନର ଶିଶୁଙ୍କ ଜନ୍ମ ହେବାର ଆଶଙ୍କା ୪୦% ତଥା ସମୟ ପୂର୍ବରୁ ପ୍ରସବ ଆଶଙ୍କା ୭୦% ପର୍ଯ୍ୟନ୍ତ ବଢି ଯାଉଥିବା ଆକଳନ କରାଯାଇଛି।
ଏହି ଅଧ୍ୟୟନରେ ଜଳବାୟୁ ପରିସ୍ଥିତି ଯେପରି ବର୍ଷା ଓ ଅଧିକ ଉତ୍ତାପ ପ୍ରତିକୂଳ ଜନ୍ମ ପରିଣାମର ଗଭୀର ସମ୍ପର୍କ ଥିବା ଜଣାପଡିଛି। ସ୍ୱାସ୍ଥ୍ୟ ପତ୍ରିକା ‘ପିଏଲଓଏସ୍ ଗ୍ଲୋବାଲ ପବ୍ଲିକ୍ ହେଲଥ୍’ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ଉତ୍ତର ଭାରତୀୟ ଜିଲ୍ଲାମାନଙ୍କରେ ରହୁଥିବା ପିଲା ପରିବେଶୀୟ ବାୟୁପ୍ରଦୂଷଣ ପ୍ରତି ଅଧିକ ସମ୍ବେଦନଶୀଳ ବୋଲି ଆକଳନ କରାଯାଇଛି। ଏଥି ପାଇଁ ବାତାବରଣରେ ଜୀବାସ୍ମ ଇନ୍ଧନ ଓ ବାୟୋମାସ ଦହନକୁ ପ୍ରମୁଖ କାରଣ ବୋଲି କୁହାଯାଇଛି।
ଗବେଷକଙ୍କ ଅନୁସାରେ ଗଙ୍ଗା ଉପର ଅଞ୍ଚଳରେ ପିଏମ ୨.୫ ପ୍ରଦୂଷଣ ସ୍ତର ସର୍ବାଧିକ। ଏଥିରେ ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ଆସୁଛନ୍ତି। ତେବେ ଦେଶର ଦକ୍ଷିଣ ଓ ପୂର୍ବୋତ୍ତର କ୍ଷେତ୍ରରେ ଏହି ପ୍ରଦୂଷଣ ହାର ଯଥେଷ୍ଟ କମ୍। ଅଧ୍ୟୟନ ଅନୁସାରେ ସମୟ ପୂର୍ବରୁ ଜନ୍ମର ଅଧିକ ମାମଲା ହିମାଚଳ ପ୍ରଦେଶ(୩୯%), ଉତ୍ତରାଖଣ୍ଡ (୨୭%), ରାଜସ୍ଥାନ (୧୮%) ଓ ଦିଲ୍ଲୀ (୧୭%)ରେ ହେଉଛି। ତେବେ ମିଜୋରାମ, ମଣିପୁର ଓ ତ୍ରିପୁରାରେ ପ୍ରିମାଚ୍ୟୋର ବେବି ଜନ୍ମହାର ସବୁଠୁ କମ୍ ବୋଲି କୁହାଯାଇଛି।