ନୂଆଦିଲ୍ଲୀ: ଟଳିଗଲା ଆଉ ଏକ ବିମାନ ଅଘଟଣ । ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଅବତରଣ ପରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ମଙ୍ଗଳବାର ଅପରାହ୍ଣ ସମୟରେ ହୋଇଥିଲା । ତେବେ ଆଶ୍ୱସ୍ତିର କଥା ହେଉଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହି ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, "ଜୁଲାଇ ୨୨ରେ ହଂକଂରୁ ଦିଲ୍ଲୀ ଆସୁଥିବା ବିମାନ AI-315 ଲ୍ୟାଣ୍ଡିଂ ଓ ଗେଟ୍ ପାର୍କିଂ ପରେ ଏହାର ଅକ୍ଜିଲାରୀ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ବିମାନରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ସହାୟକ ପାୱର ୟୁନିଟ୍ (ଅକ୍ଜିଲାରୀ ପାୱାର ୟୁନିଟ)କୁ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା ।"
ଏୟାର ଇଣ୍ଡିଆ ମୁଖପାତ୍ର ଆହୁରି କହିଛନ୍ତି, "ଯାତ୍ରୀ ଓ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ସହ ବିମାନକୁ ଓହ୍ଲାଇଛନ୍ତି । ତେବେ ଏହି ଘଟଣାରେ ବିମାନକୁ କିଛି କ୍ଷତି ପହଞ୍ଚିଛି । ବର୍ତ୍ତମାନ ଏହି ବିମାନକୁ ଗ୍ରାଉଣ୍ଡ କରାଯାଇଛି ଓ ଏହାର ତଦନ୍ତ ପାଇଁ ନିୟାମକ ପ୍ରାଧିକରଣକୁ ସୂଚନା ଦିଆଯାଇଛି ।"
Flight AI315, operating from Hong Kong to Delhi on 22 July 2025, experienced an auxiliary power unit (APU) fire shortly after it had landed and parked at the gate. The incident occurred while passengers had begun disembarking, and the APU was automatically shut down as per system…
— Air India (@airindia) July 22, 2025
ଏୟାର ଇଣ୍ଡିଆର ଅନେକ ବିମାନରେ ତ୍ରୁଟି ଯୋଗୁଁ ଗତ କିଛି ଦିନ ମଧ୍ୟରେ ଅନେକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ଏଥିରେ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସନାଲ ସେବା ସାମିଲ ରହିଛି । ଏହାର ଦିନକ ପୂର୍ବରୁ, କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନୱେରୁ ଆଗକୁ ଚାଲି ଯାଇଥିଲା । ଏହା ପରେ ବିମାନକୁ ତଦନ୍ତ ପାଇଁ ଅଟକାଯାଇଥିଲା ।
ଜୁନ୍ ୧୨ରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ କଲେଜ ବିଲ୍ଡିଂରେ ଖସି ପଡ଼ିଥିଲା । ଏହି ଦୁଃଖଦ ଦୁର୍ଘଟଣାରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୧୯ ଜଣ ତଳେ ଥିଲେ । ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଲେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ଜଣ ବ୍ରିଟିଶ, ସାତ ଜଣ ପର୍ତ୍ତୁଗୀଜ୍ ଏବଂ ଜଣେ କାନାଡିଆନ୍ ନାଗରିକ ଥିଲେ ।