ଗୁଜରାଟ ୧୩/୦୬: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଦ୍ୱିପ୍ରହରରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଧିକାରୀମାନଙ୍କ ଅନୁସାରେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନ ମଧ୍ୟରେ ଓ ଆଖପାଖର ତାପମାତ୍ରା ପ୍ରାୟ ୧୦୦୦ ଡିଗ୍ରୀ ସେଲସିୟସ୍ ଯାଏ ପହଞ୍ଚି ଯାଇଥିଲା । ସେଥିଯୋଗୁ ଉଦ୍ଧାର ଅଭିଯାନ ଚଳାଇବା କଷ୍ଟକର ହୋଇଥିଲା ।
ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିମାନଟି ବିଜେ ମେଡିକାଲ କଲେଜର ହଷ୍ଟେଲ ବିଲ୍ଡିଂରେ ପିଟି ହେବା ମାତ୍ରେ ଟାଙ୍କି ଫାଟିଥିଲା । ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା । ସେଥିଯୋଗୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ୍ ଯାଏ ପହଞ୍ଚି ଯାଇଥିଲା । ଫଳରେ କାହାରିକୁ ରକ୍ଷା ପାଇବାର ସୁଯୋଗ ହିଁ ମିଳିଲା ନାହିଁ ।
ଏନ୍ଡିଆରଏଫ୍ର ଜଣେ ଅନ୍ୟ ଅଧିକାରୀ କହିଛନ୍ତି, ତାପମାତ୍ରା ହଠାତ୍ ଏତେ ଅଧିକ ହୋଇଯିବାରୁ ଘଟଣାସ୍ଥଳରେ ଥିବା କୁକୁର ଓ ପକ୍ଷୀ ବି ଏହାର ଶିକାର ହୋଇଗଲେ । ସେମାନଙ୍କୁ ବର୍ତ୍ତିବାର ସୁଯୋଗ ମିଳିଲା ନାହିଁ । ବୋଇଂ ୭୮୭ ଡ୍ରିମ୍ଲାଇନର ଦୁର୍ଘଟଣାର ତଦନ୍ତ ବିମାନ ଦୁର୍ଘଟଣା ଯାଞ୍ଚ୍ ବ୍ୟୁରୋ(ଏଏଆଇବି) ସମେତ ଆମେରିକା ଓ ବ୍ରିଟେନ୍ର ଟିମ୍ ଅନ୍ତର୍ଜାତୀୟ ପ୍ରୋଟୋକଲ୍ ଅନୁସାରେ କରୁଛି ।
ଇଞ୍ଜିନ୍ ଖରାପ ହେବା, ଓଭରୱେଟ୍, ଥ୍ରଷ୍ଟ୍ ନ ମିଳିବା ଭଳି ଅନେକ ପ୍ରସଙ୍ଗକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବେ ଦେଖାଯାଉଛି । ଏସବୁ ଦିଗ ସଂପର୍କରେ ତଦନ୍ତ ଚାଲୁଛି ।