ଗାନ୍ଧୀନଗର: ଗୁଜରାଟର ଅହମ୍ମଦାବାଦ ସ୍ଥିତ ସେଭେନ୍ଥ ଡେ' ସ୍କୁଲରେ ୧୦ମ ଶ୍ରେଣୀ ଛାତ୍ର ନୟନ ସତାନୀଙ୍କ ହତ୍ୟାରେ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଛାତ୍ର ପୂରା ପ୍ରସ୍ତୁତି ସହ ଏହି ଆକ୍ରମଣ କରିଥିଲା । ହତ୍ୟା କରିବା ପରେ ସାଙ୍ଗ ସହ କରିଥିବା ଚାଟ୍ ଏବେ ସାମନାକୁ ଆସିଛି, ଯେଉଁଥିରେ ଅନେକ କଥା ସାମନାକୁ ଆସିଛି । ଚାଟ୍ରେ ଛାତ୍ରଜଣଙ୍କ ହତ୍ୟା କରିଥିବା କଥାକୁ ସ୍ୱୀକାର କରୁଛି । ଭାଇରାଲ୍ ସ୍କ୍ରିନ୍ସଟ୍ରେ, ଅଭିଯୁକ୍ତ "ଜୋ ହୋଗା ୱୋ ହୋଗା" (ଯାହା ଘଟିଲା ତାହା ଘଟିବ) କହୁଥିବା ଦେଖାଯାଇଛି ।
ସେଭେନ୍ଥ ଡେ' ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାର ସାଙ୍ଗକୁ ମେସେଜ୍ କରିଥିଲା । ଏବେ ଏହି ଚାଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଚାଟ୍ ପଢିବା ପରେ, ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଅଭିଯୁକ୍ତ ଛାତ୍ର ନାବାଳକ, କିନ୍ତୁ ଛୋଟିଆ ବୟସରେ ସେ ଏଭଳି ଏକ ଷଡ଼ଯନ୍ତ୍ର ରଚିଥିଲା, ଯାହା ଶୁଣି ଲୋକ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଚାଟ୍ର ସ୍କ୍ରିନ୍ସଟ୍ ଅନୁସାରେ, ମୃତ ଛାତ୍ର କୁଆଡ଼େ ଅଭିଯୁକ୍ତକୁ ‘ତୁଏ କିଏ, କଣ କରିବୁ’ ବୋଲି କହିଥିଲେ । ଯେଉଁଥିରେ ରାଗ ରଖି ଅଭିଯୁକ୍ତ ଅଷ୍ଟମ ଶ୍ରେଣୀ ଛାତ୍ର ୧୦ମ ପଢୁଥିବା ନୟନଙ୍କୁ ହତ୍ୟା କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ଛାତ୍ର ସହ ତାକୁ ସାହାଯ୍ୟ କରିଥିବା ଅନ୍ୟ ତିନି ଜଣଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି । ମାମଲାର ତଦନ୍ତ ଅହମ୍ମଦାବାଦ କ୍ରାଇମ୍ବ୍ରାଞ୍ଚ କରୁଛି ।
ଭାଇରାଲ୍ ହେଉଥିବା ସ୍କ୍ରିନ୍ସଟ୍
ମାମଲାକୁ ନେଇ ଅହମ୍ମଦାବାଦରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସିନ୍ଧି ସମାଜ ଆଜି ବନ୍ଦ ଘୋଷଣା କରିଛି, ଅନ୍ୟପଟେ ଅନେକ ଦୋକାନୀ ଏହାକୁ ସମର୍ଥନ କରି ଦୋକାନ ବନ୍ଦ କରିଛନ୍ତି । ଆକ୍ରମଣକାରୀ ନିର୍ଦ୍ଦିଷ୍ଟ ସଂଖ୍ୟାଲୁଘ ସମ୍ପ୍ରଦାୟର ହୋଇଥିବାରୁ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାର ଭୟ ରହିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୃତ ଛାତ୍ରଙ୍କ ସମ୍ପର୍କୀୟ କହିଛନ୍ତି, 'ଆମେ ନ୍ୟାୟ ଚାହୁଁଛୁ । ଆଜି ଆମେ ଆମ ପିଲାକୁ ହରାଇଛୁ । କାଲି ଆଉ କାହା ପିଲା ସହ ଘଟିବ। ତେଣୁ କଠୋର କାର୍ଯ୍ୟାନୁଷ୍ଠାନ ନହେଲେ, ଏପରି ଘଟଣା ପୁଣି ଘଟିବ ।'
ଉଲ୍ଲେଖଯୋଗ୍ୟ ଯେ ଅହମ୍ମଦାବାଦର ଏକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ବୁଧବାର ଅପରାହ୍ନରେ ସ୍କୁଲ ସରିବା ପରେ ଦୁଇ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଷ୍ଟମ ଶ୍ରେଣୀ ଛାତ୍ର ତାଙ୍କ କିଛି ବନ୍ଧୁଙ୍କୁ ଡାକି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରିରେ ଆକ୍ରମଣ କରି ସେଠାରୁ ଦୌଡ଼ି ପଳାଇଥିଲେ । ଏହି ଘଟଣା ଘଟିବା ମାତ୍ରେ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କଣ ହେଲା ପ୍ରଥମେ କେହି ବୁଝିପାରି ନଥିଲେ । କିଛି ସମୟ ପରେ ଆହତ ଦଶମ ଶ୍ରେଣୀ ପିଲାଟିକୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେତେବେଳକୁ ବହୁ ମାତ୍ରାରେ ରକ୍ତ ବାହାରି ଯାଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଛାତ୍ରକୁ ବଞ୍ଚାଯାଇ ପାରିଲା ନାହିଁ । ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ହୋଇଥିଲା ।