ଭାରତର ଭାତ ହାଣ୍ଡିକୁ ଚୀନର ପ୍ରହାର: ପ୍ରଭାବିତ ହୋଇପାରେ ଚାଷ, ବଢିପାରେ ଦରଦାମ

Published By : Prameya-News7 Bureau | June 28, 2025 IST

internet

ଭବନେଶ୍ୱର: ମୁହଁରେ ବନ୍ଧୁତା କଥା କହୁଛି, ହେଲେ ପଛରେ ବାଧକ ସାଜୁଛି। ଭାରତକୁ ଆଗକୁ ବଢ଼ିବାକୁ ଦେଉନି ଚୀନ। କେତେବେଳେ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଗୁଇନ୍ଦା ତଥ୍ୟ ଦେଇ ସହଯୋଗ କରୁଛି ତ ଆଉ କେତେବେଳେ ରେୟାର ଆର୍ଥ ମ୍ୟାଗନେଟ ବନ୍ଦ କରି ଭାରତୀୟ ଅଟୋ ସେକ୍ଟରକୁ ଅଚଳ କରିବାକୁ ଚେଷ୍ଟା କରୁଛି। ଆଉ ଏବେ ଭାରତର ଭାତ ହାଣ୍ଡିରେ ଉପରେ ପ୍ରହାର କରିଛି ଚାଇନା। ବର୍ତ୍ତମାନ ଚାଷବାସ ସମୟ ଚାଲିଥିବା ବେଳେ ଚୀନ ଭାରତକୁ ସାର ରପ୍ତାନୀ ବନ୍ଦ କରିଦେଇଛି।

ଉପରେ ପାଣି ଛିଞ୍ଚୁଛି ଭିତରେ ଚେର କାଟୁଛି। ପଡ଼ୋଶୀ ଚୀନର ଦୋମୁହାଁ ନୀତି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଆମେରିକା ସହିତ ଚୀନର ଟାରିଫ ଯୁଦ୍ଧ ପରେ ବାଣିଜ୍ୟ ପାଇଁ ବିଶ୍ୱବାସୀଙ୍କ ନଜର ଭାରତ ଉପରେ ପଡ଼ିଥିଲା। ଭାରତ ମଧ୍ୟ ଏହାର ପାଇଦା ନବାକୁ ଚାହୁଁଥିଲା। ହେଲେ ଚୀନ ଏହି ରାସ୍ତାରେ ବାଧକ ସାଜିଛି। ଭାରତର ଅଟୋ ସେକ୍ଟରକୁ ଦୁର୍ବଳ କରିବା ପାଇଁ ଚୀନ ପ୍ରଥମେ ରେୟାର ଆର୍ଥ ମ୍ୟାଗନେଟ ରପ୍ତାନୀ ଉପରେ କଟକଣା ଲଗାଇଥିଲା। ଯାହାର ପ୍ରଭାବ ଭାରତର ଇଭି ସେକ୍ଟରରେ ଦେଖିବାକୁ ମିଳିଛି। ବଜାଜ ପାଖରେ ମ୍ୟାଗନେଟ୍‌ର ଅଭାବ ଯୋଗୁ କମ୍ପାନୀ ଇଭି ଉତ୍ପାଦନ ସ୍ଥଗିତ ରଖିପାରେ ବୋଲି ରିପୋର୍ଟ ପ୍ରକାଶ ପାଉଛି। 

ଏସବୁ ଭିତରେ ଚୀନ ଭାରତକୁ ଦୁର୍ବଳ କରିବାକୁ ଆଉ ଏକ ଗେମ୍ ଖେଳିଛି। ଏଥର ଭାରତର ଭାତ ହାଣ୍ଡିରେ ଉପରେ ପ୍ରହାର କରିଛି ଚାଇନା। ବର୍ତ୍ତମାନ ଚାଷବାସ ସମୟ ଚାଲିଥିବା ବେଳେ ଚୀନ ଭାରତକୁ ସାର ରପ୍ତାନୀ ବନ୍ଦ କରିଦେଇଛି। ତେଣୁ ଗତ ଦୁଇ ମାସ ହେଲା ଚୀନ ଠାରୁ ସାର ଆମଦାନୀରେ ଅଚଳାବସ୍ଥା ଲାଗି ରହିଛି। 

ଚୀନ ଭାରତକୁ ଏକ ସ୍ୱତନ୍ତ୍ର କିସମ ସାର ରପ୍ତାନି କରୁଥିଲା। ଯାହା ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଫସଲ ଚାଷ କରିବାରେ ବ୍ୟବହାର ହେଉଥିଲା। ହେଲେ ଏବେ ଚୀନ ଅନ୍ୟ ସମସ୍ତ ଦେଶକୁ ସାର ରପ୍ତାନୀ ଜାରି ରଖିଥିବା ବେଳେ ଭାରତକୁ ବନ୍ଦ କରିଛି। ଏପଟେ ଚାଷ ସମୟ ଉଛୁର ହେଉଥିବା ବେଳେ ଚୀନର ଏଭଳି ବାଧକ ଭାରତୀୟ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

ଦୁଃଖର କଥା ହେଲା ଏଭଳି ସ୍ୱତନ୍ତ୍ର ସାର ତିଆରି କରିବା ପାଇଁ ଭାରତରେ ବର୍ତ୍ତମାନ ପାଇଁ ସେତେଟା ଉନ୍ନତ ସୁବିଧା ସୁଯୋଗ ନାହିଁ। ସ୍ଥାନୀୟ ଉତ୍ପଦାନ ବହୁତ କମ୍‌ ରହିଛି। ତେଣୁ ଭାରତ ଏହିସବୁ ସାର ଓ କ୍ୟାମେକାଲ୍ସ ପାଇଁ ୮୦ ପ୍ରତିଶତ ଚୀନ ଉପରେ ନିର୍ଭର କରୁଛି। ତେଣୁ ରପ୍ତାନୀ ପ୍ରତିବନ୍ଧକ ଭାରତକୁ ଶକ୍ତ ଝଟ୍‌କା ।

ଏନେଇ ସୋଲୁବଲ୍‌ ଫର୍ଟିଲାଇଜର ଇଣ୍ଡଷ୍ଟ୍ରି ଆସୋସିଏସନ୍‌(ଏସ୍‌ଏଫ୍‌ଆଇଏ)ର ସଭାପତି ରାଜୀବ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଭାରତକୁ ଏସବୁ ସାର ନ ଦେବା ପାଇଁ ଚୀନ ଗତ ୪ରୁ ୫ ବର୍ଷ ହେବ ଏହାର ଯୋଗାଣକାରୀମାନଙ୍କୁ ବାରଣ କରୁଥିଲା। ଏବେ ଏହା ବନ୍ଦ କରାଯାଇଛି। ଚୀନର ଏଭଳି ହଠାତ୍ କଟକଣା ଭାରତରେ ଫସଲ ଅମଳକୁ ପ୍ରଭାବିତ କରିପାରେ। ତା ସହିତ ପନିପରିବା ଓ ଫଳମୂଳର ଦାମ ବି ବଢାଇପାରେ।  

ଭାରତ ପାଇଁ ଉଦ୍ଦିଷ୍ଟ ରପ୍ତାନି ସାମଗ୍ରୀକୁ ଚୀନ୍‌ ଅଧିକାରୀମାନେ ତଦାରଖ କରିବା ପରେ ଏଗୁଡ଼ିକ ରପ୍ତାନୀ ହେଉଥିଲା। ହେଲେ ବର୍ତ୍ତମାନ ଚୀନ ଅଧିକାରୀ ଏହାକୁ ଜାଣିଶୁଣି ଯାଞ୍ଚ କରୁ ନଥିବାରୁ ରପ୍ତାନୀ ପାଇଁ ଜରୁରୀ ଅନୁମତି ମିଳିପାରୁ ନାହିଁ। ଚୀନ ରପ୍ତାନୀ ଉପରେ ବ୍ୟାନ୍ ଲଗାଇ ନଥିଲେ ମଧ୍ୟ ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରି ଶିପମେଣ୍ଟ ସବୁ ଅଟକାଇ ରଖୁଛି ବୋଲି ରାଜୀବ ଚକ୍ରବର୍ତ୍ତୀ କହିଛନ୍ତି।

ଗତ ୫ ବର୍ଷ ଧରି ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦ ତେଜିଛି । ଏଭଳି ସ୍ଥିତିରେ ନିୟମିତ ଭାବେ ଉଭୟ ଦେଶ ପରସ୍ପର ଉପରେ ବାଣିଜ୍ୟିକ କଟକଣା ଲଗାଇ ଆସୁଛନ୍ତି। ଚୀନ୍‌ ଭାରତକୁ ରପ୍ତାନି ବନ୍ଦ କରିଥିବା ସ୍ୱତନ୍ତ୍ର କିସମ ସାର ହେଉଛି ଅଣ-ସବ୍‌ସିଡିଯୁକ୍ତ ମୃତିକା ପୃଷ୍ଟିସାର। ଏଗୁଡ଼ିକ ମଧ୍ୟରେ ରହିଛି ୱାଟରସୋଲୁବଲ୍‌ ଫର୍ଟିଲାଇଜର୍ସ(ଡବ୍ଲ୍ୟୁଏସ୍‌ଏଫ୍‌) ଏବଂ ଫଲିଗାର ଓ ଫର୍ଟିଗେଶନ୍‌ ପାଇଁ ଲିକ୍ୱିଡ୍‌ ଫର୍ଟିଲାଇଜର, କଣ୍ଟ୍ରୋଲ୍‌ଡ ରିଲିଜ୍‌ ଫର୍ଟିଲାଇଜର୍ସ(ସିଆର୍‌ଏଫ୍‌), ସ୍ଲୋ-ରିଲିଜ୍‌ ଫର୍ଟିଲାଇଜର(ଏସ୍‌ଆର୍‌ଏଫ୍‌), ମାଇକ୍ରୋନ୍ୟୁଟ୍ରିଏଣ୍ଟ ଫର୍ଟିଲାଇଜର, ଫର୍ଟିଫାଏଡ୍‌ ଫର୍ଟିଲାଇଜର, କଷ୍ଟମାଇଜ୍‌ଡ ଫର୍ଟିଲାଇଜର, ନାନୋ ଫର୍ଟିଲାଇଜର, ବାୟୋ-ଷ୍ଟିମୁଲାଣ୍ଟ୍‌ସ, ଅର୍ଗାନିକ ଏବଂ ଅନ୍ୟ ମୂଲ୍ୟ ଯୁକ୍ତ ତଥା ଅଭିନବ ଫର୍ଟିଲାଇଜର ।

ଶିଳ୍ପ ବିଭାଗରୁ ତଥ୍ୟ ଅନୁସାରେ, ଜୁନ୍‌-ଡିସେମ୍ବର ମଧ୍ୟରେ ଭାରତ ଦେଢ଼ ଲକ୍ଷରୁ ଏକ ଲକ୍ଷ ୬୦ ହଜାର ଟନ୍‌ ସ୍ୱତନ୍ତ୍ର କିସମ ସାର ଆମଦାନି କରିଥାଏ। ଏହି ସାରଗୁଡ଼ିକ ଦ୍ୱାରା ଫସଲ ଉତ୍ପାଦନ ବଢ଼ିଥାଏ ଏବଂ ମୃତ୍ତିକାର ଉର୍ବରତା ବଢ଼ିଥାଏ। ପାରମ୍ପରିକ ସାର ତୁଳନାରେ ପରିବେଶ ଉପରେ ଏହାର ପ୍ରଭାବକୁ କମ୍‌ ପଡ଼ିଥାଏ। ଦେଶର ପ୍ରମୁଖ ସାର କମ୍ପାନିଗୁଡ଼ିକ ମଧ୍ୟରେ ଦୀପକ ଫର୍ଟିଲାଇଜର୍ସ, ପାରାଦୀପ ଫର୍ଟିଲାଇଜର୍ସ ଏବଂ ନାଗାର୍ଜୁନ ଫର୍ଟିଲାଇଜର କମ୍ପାନି ଏଭଳି କିସମ ସାର ଉତ୍ପାଦନ କରିଥାନ୍ତି । 

ଏଭଳି ସାରକୁ ବହୁଳ ମାତ୍ରାରେ ଉତ୍ପାଦନ କରିବା ପାଇଁ ଭାରତ ପାଖରେ ଟେକ୍ନୋଲୋଜିର ଅଭାବ ରହିଛି। ଏନେଇ ଶ୍ରୀ ଚକ୍ରବର୍ତ୍ତୀଙ୍କ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ପାରମ୍ପରିକ ସାର ଯଥା-ଡିଏପି ଓ ୟୁରିଆ ସାର ବ୍ୟବହାର ହେଉଥିବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ଫସଲ ପାଇଁ ସ୍ୱତନ୍ତ୍ର କିସମ ବା ସ୍ପେସିଆଲ୍‌ଟି ଫର୍ଟିଲାଇଜର ବ୍ୟବାହର ବହୁଳମାତ୍ରାରେ କରାଯାଉଛି। ଭାରତରେ ଏହାର ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବା ପାଇଁ ଅନେକ କମ୍ପାନି ଆଗ୍ରହୀ ହୋଇଛନ୍ତି। ହେଲେ ଏହା ହଠାତ୍ ସମ୍ଭବ ନୁହେଁ। 

ବର୍ତ୍ତମାନ ଚୀନ୍‌ର କଟକଣା ପରେ ଭାରତକୁ ଅନ୍ୟ ବିକଳ୍ପ ଖୋଜିବା ଦରକାର ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ କ୍ଷେତ୍ରରେ ଚୀନ୍‌ର ବିକଳ୍ପ ଭାବେ ଜୋର୍ଡାନ ଏବଂ ୟୁରୋପ ଭାରତକୁ ସାର ରପ୍ତାନୀ କରିପାରିବେ। ହେଲେ ଠିକ୍‌ ସମୟରେ ସାର ପହଞ୍ଚିପାରିବା ଭାରତ ପାଇଁ ଚ୍ୟାଲେଞ୍ଜ  ହୋଇପାରେ।

ସେପଟେ ଭାରତ ମଧ୍ୟ ଚୀନ୍‌ ପ୍ରତି ଯେଶାକୁ ତେଶା ନୀତି ଅବଲମ୍ବନ କରିଛି। ବେଜିଂ ଓ ତାଇୱାନ୍‌ରୁ ଆସୁଥିବା ପ୍ଲାଷ୍ଟିକ୍‌ ପ୍ରୋସେସିଂ ମେଶିନ୍‌ଗୁଡ଼ିକର ଆମଦାନି ଉପରେ ଭାରତ ସରକାର୨୭ରୁ ୬୩% ଆଣ୍ଟି-ଡମ୍ପିଂ ଶୁଳ୍କ ଲଗାଇଛନ୍ତି। ଏହି ସାମଗ୍ରୀଗୁଡ଼ିକୁ ଭାରତରେ ଅତି ଶସ୍ତାରେ ବିକ୍ରି କରାଯାଉଥିଲା,ଫଳରେ ଘରୋଇ ଶିଳ୍ପକୁ ବଡ଼ ମାତ୍ରାରେ କ୍ଷତି ହେଉଥିଲା। ଏଥିପାଇଁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଚୀନ୍‌ରୁ ଆସୁଥିବା ଏହି ସାମଗ୍ରୀଗୁଡ଼ିକ ଭାରତୀୟ ନିର୍ମାତାମାନଙ୍କୁ ଅତିମାତ୍ରାରେ କ୍ଷତି ପହଞ୍ଚାଉଥିବା ଅର୍ଥ ମନ୍ତ୍ରାଳୟ ଅନୁଭବ କରିଛି। ତେଣୁ ସ୍ଥାନୀୟ ବ୍ୟବସାୟର ସୁରକ୍ଷା ଏବଂ ଏକ ସ୍ୱଚ୍ଛ କାରବାରକୁ ସୁନିଶ୍ଚିତ କରିବା ନିମନ୍ତେ ଏସବୁ ସାମଗ୍ରୀଗୁଡ଼ିକ ଉପରେ ୫ ବର୍ଷିଆ ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ କରିବାକୁ ସରକାର ସ୍ଥିର କରିଛନ୍ତି।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବିଜ୍ଞପ୍ତି ଜାରି ହେବାର ୫ ବର୍ଷ ପର୍ଯ୍ୟନ୍ତ ଏହି ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରାଯିବ। ଶୁଳ୍କକୁ ଭାରତୀୟ ମୁଦ୍ରାରେ ଆଦାୟ କରାଯିବ ଏବଂ ସାମଗ୍ରୀର ମୂଲ୍ୟ, ବୀମା ଓ ଫ୍ରେଟ୍‌ ଦର ଅନୁସାରେ ଶୁଳ୍କ ହିସାବ କରାଯିବ। 

ଯେତେବେଳେ ଆମଦାନି ହେଉଥିବା ଏକ ସାମଗ୍ରୀ ଏହାର ସ୍ୱାଭାବିକ ଦରଠାରୁ ବି କମ ରହେ ଏବଂ ଏହା ସ୍ଥାନୀୟ ଶିଳ୍ପକୁ ପ୍ରଭାବିତ କରେ, ସେତେବେଳେ ଏହା ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ ହୋଇଥାଏ । ଭାରତ ଚଳିତମାସ ଏଯାବତ୍‌ ୬ଟି ଚାଇନା ଉତ୍ପାଦ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିସାରିଛି। ଏହା ମଧ୍ୟରେ ରହିଛି ଘାସମରା କ୍ୟାମିକାଲ ପିଇଡିଏ, ଫାର୍ମା ଇନ୍‌ପୁଟ୍‌ ଆସିଟୋନାଇଟ୍ରିଲ୍‌, ଭିଟାମିନ୍‌ ଏ ପାଲ୍‌ମିଟେଟ୍‌, ଇନ୍‌ସୋଲେବୁଲ୍‌ ସଲ୍‌ଫର, ପୋଟାସିୟମ ଟର୍ସିଆରୀ ବୁଟୋକ୍ସାଇଡ୍‌ ଏବଂ ଡେକର୍‌ ପେପର୍‌ ।

ଘରୋଇ ଉତ୍ପାଦନକୁ ବଢ଼ାଇବା ସହ ଚୀନ୍‌ ଉପରୁ ନିର୍ଭରତା କମାଇବା ଉଦ୍ଦେଶ୍ୟରେ ଭାରତ ସରକାର ଏ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୪-୨୫ରେ ଚୀନ୍‌ ସହ ଭାରତର ବାଣିଜ୍ୟ ନିଅଣ୍ଟ ରେକର୍ଡ ୯୯୨୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଆଲୋଚ୍ୟ ବର୍ଷରେ ଚୀନ୍‌କୁ ଭାରତର ରପ୍ତାନି ୧୪.୫% ଖସିଥିବାବେଳେ ଆମଦାନି ୧୧% ବୃଦ୍ଧି ପାଇ ୧୧୩୪୫ କୋଟି ଡଲାରରେ ପହଞ୍ଚିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.