ଇଂରେଜଙ୍କ F-35 ପୁଣି ପଙ୍କଚର! ଭାରତ ପରେ ଜାପାନରେ କରିଛି ଏମାର୍ଜେନ୍ସୀ ଲ୍ୟାଣ୍ଡିଂ

Published By : Prameya-News7 Bureau | August 10, 2025 IST

କାଗୋସୀମା ୧୦।୮: ବ୍ରିଟେନର ଏଫ-୩୫ ଷ୍ଟିଲଥ୍ ବିମାନ ବୈଷୟିକ ତ୍ରୁଟି ଯୋଗୁ ରବିବାର ଜାପାନର କାଗୋସୀମା ଏୟାରପୋର୍ଟରେ ଏମାର୍ଜେନ୍ସୀ ଲ୍ୟାଣ୍ଡିଂ କରିଛି। ଏହି ବିମାନ ଲ୍ୟାଣ୍ଡିଂ କରିବା ପାଇଁ ପାଖାପାଖି ୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟର ରନୱେକୁ ବନ୍ଦ ରଖାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବିମାନର ଏମାର୍ଜେନ୍ସୀ ଲ୍ୟାଣ୍ଡିଂ ସୂଚନା ପରେ ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ଏଣୁ କେତେକ ବାଣିଜ୍ୟିକ ବିମାନ ଉଡାଣ ଓ ଅବତରଣ ପ୍ରଭାବିତ ହୋଇଥିଲା। 

ବ୍ରିଟିଶ ସେନା ଗତ ଅଗଷ୍ଟ ୪ ତାରିଖରୁ ଜାପାନର ସାମୁଦ୍ରିକ ସେନା ଓ ଆମେରିକୀୟ ସେନା ସହିତ ମିଳିତ ସମରାଭ୍ୟାସ କରୁଛି। ଏହି ସମରାଭ୍ୟାସ ୧୨ ଅଗଷ୍ଟ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥି ମଧ୍ୟରେ ବ୍ରିଟିଶ ଏୟାର ଫୋର୍ସର ଏହି ଯୁଦ୍ଧବିମାନଟି ଖରାପ ହୋଇଯାଇଛି। ଏହା ପୂର୍ବରୁ ଜୁନ ମାସରେ ଏକ ବ୍ରିଟିଶ ଏଫ-୩୫ବି ଫାଇଟର ଜେଟ୍ ବୈଷୟିକ ତ୍ରୁଟି ୟୋଗୁ ଭାରତର କେରଳରେ ଅବତରଣ କରିବା ପରେ ଅଟକି ରହିଥିଲା। 

ଏବେ ଜାପାନରେ ପୁଣି ବ୍ରିଟିଶ ଯୁଦ୍ଧ ବିମାନ ଓହ୍ଲାଇବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ଜୁନ ୧୪ ତାରିଖରେ ଏଫ-୩୫ ବି ଅବତରଣ କରିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ରନୱେରେ ଛିଡା ହୋଇ ରହିଥିଲା। ଏହାର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଥିଲା। ବ୍ରିଟିଶ ଇଞ୍ଜିନିୟମାନେ ଆସି ଏହାକୁ ସଜାଡିବା ପରେ ଭାରତରୁ ଏଫ-୩୫ ବି ଉଡାଣ କରିଥିଲା। ଏଥି ପାଇଁ ଭାରତରେ ଲୋକେ ସୋସିଆଲ ମିଡିଆରେ ବିମାନକୁ ନେଇ ପରିହାସପୂର୍ଣ୍ଣ ମିମସ୍ ଚଳାଇଥିଲେ। ଏପରିକି କେରଳ ପର୍ଯ୍ୟଟନ ବିଭାଗ ଏହି ବିମାନକୁ ନିଜ ବିଜ୍ଞାପନରେ ସାମିଲ କରିବାକୁ ପଛେଇ ନଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.