କଟକ : କଟକ, ଭାଇଚାରାର ସହର। ଏହି ସହରରୁ ପୁଣି ଆସିଛି ଏକ ନକଲି ଖବର। ଏଇଠି ଆପଣ ଭାବୁଥିବେ ଏବେ ପୁଣି କଣ ନକଲି। ମସଲା, ସସ୍, ତେଲ ନା ଡିଟରଜେଣ୍ଟ୍। ଟିକେ ରହି ଯାଆନ୍ତୁ... ମୁଁ ଏଇଠି ଅଟକାଇଲି ଏଇଥିପାଇଁ ଯେ, ଏଥର ଏସବୁ ନୁହେଁ ବରଂ ମଣିଷ ନକଲି। କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ମଣିଷ କେମିତି ନକଲି। ତେବେ ଥରେ ଭାବିଲେ ମିଛ ପରିଚୟ ଦେଇ ରହିବା କଣ ନକଲି ମଣିଷର ପରିଚୟ ନୁହେଁ କି। ସେମିତି ନକଲି ପାସପୋର୍ଟରେ 4 ଆଫଗାନୀ ନାଗରିକ ଧରା ପଡ଼ିଛନ୍ତି ସହସ୍ର ବର୍ଷର ପୁରୁଣା ସହରରେ। ସେମାନେ ନକଲି ଭାରତୀୟ ପାସପୋର୍ଟରେ ଗତ ୬ ବର୍ଷ ହେଲା ରହି ଆସୁଥିଲେ। ହେଲେ କାହା ପାଖରେ ସୂଚନା ନଥିଲା। ଶନିବାର ଭୁବନେଶ୍ୱର ବିମାନବନ୍ଦରରୁ ଏହିଭଳି ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି ପୋଲିସ। ସେ ମହମ୍ମଦ ଯୁସୁଫ ଓରଫ ୟାହା ଖାନ। ଗିରଫ ଅଭିଯୁକ୍ତ ଜଣକ କଟକ ପେଟିନ ସାହିର ଏହି ଘରେ ରହୁଥିଲେ। କେବଳ ସେ ଏକା ନୁହଁନ୍ତି, ତାଙ୍କ ସହିତ ଆହୁରି ୩ଜଣ ମଧ୍ୟ ଏହିଠାରେ ଘର ଭଡା ନେଇ ରହୁଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏସବୁ ବାବଦରେ ପୋଲିସ କିଛି ଜାଣି ନଥିଲା କିପରି?
୬ ବର୍ଷ ତଳେ ଅଫଗାନିସ୍ତାନ ପାସପୋର୍ଟରେ ଭାରତ ଆସିଥିଲା ଅଭିଯୁକ୍ତ ମହମ୍ମଦ ଯୁସୁଫ। ସେବେଠାରୁ ସେ ଫେରିନାହିଁ। ପ୍ରଥମେ କୋଲକୋତା ରେ ରହିବାପରେ ସେ କଟକ ରେ ରହିବା ଆରମ୍ଭ କରିଦେଇଥିଲା। ପେଟିନ ସାହିରେ ଯୁସୁଫ ସମେତ ଆହୁରି ୩ ଜଣ ଆଫଗନ ନାଗରିକ ରହୁଥିବା ପୋଲିସ ସନ୍ଦେହ କରି ପରେ ସେମାନଙ୍କୁ ପୁରୀଘାଟ ଥାନାକୁ ଡକାଇ ପଚରା ଉଚରା ଜାରି ରଖିଛି । ସମସ୍ତଙ୍କ ମୋବାଇଲ ଫୋନ ଜବତ କରାଯାଇଛି, କଲ ଡିଟେଲସ ଯାଞ୍ଚ ମଧ୍ୟ କରାଯାଉଛି। ପ୍ରତ୍ୟେକଙ୍କର ପରିଚୟ ପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ରକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି। ଯଦିଓ ପୋଲିସ ପାଖରେ ପୂର୍ବରୁ କୌଣସି ସୂଚନା ନଥିଲା, କିନ୍ତୁ ଇମିଗ୍ରେସନ ଅଧିକାରୀ ମହମ୍ମଦ ଯୁସୁଫକୁ ଖୋଜୁଥିଲେ। ସଂଯୋଗବଶତଃ ଶନିବାର ସେ ପୋଲିସ ହାତରେ ଧରା ପଡିଛି। ତେବେ ଏମାନେ ସମସ୍ତେ ବେଆଇନ ଭାବେ କଟକରେ ରହୁଛନ୍ତି ନାଁ ଆଉ କିଛି, ସେ ବାବଦରେ ପୋଲିସ କିଛିବି କହିବାକୁ ନାରାଜ। ହେଲେ ବିଭିନ୍ନ ସୂତ୍ରରୁ ଯାହା ଖବର ମିଳିଛି ପେଟିନ ସାହିରେ ଆଗରୁ ଏମିତି ଅନେକ ପରିବାର ରହୁଥିଲେ। ସେଥିମଧ୍ୟରୁ ଆଉ ପୁରୁଣା ଲୋକ କେହି ଏବେ ନାହାଁନ୍ତି। ଏବେ ଘର ଭଡା ନେଇ ରହୁଥିବା ଯୁବକ ମାନେ ମୁଖ୍ୟତଃ ଡ୍ରାଏଫ୍ରୁଟ୍ସ ବେପାର କରନ୍ତି ଏବଂ ଅନେକ ସମୟରେ ବାହାରକୁ ଯାଆସ କରନ୍ତି।
କିନ୍ତୁ ପ୍ରଶ୍ନ ହେଲା, ୪ ଜଣ ବିଦେଶୀ ନାଗରିକ କଟକ ସହରରେ ଅଛନ୍ତି। ସେ ବାବଦରେ ପୋଲିସ ପାଖରେ ଖବର ନଥିଲା କେମିତି? ଜଣେ ଅଭିଯୁକ୍ତ ଜାଲ ପାସପୋର୍ଟ ସହାୟତାରେ ୬ ବର୍ଷ ରହିଲେଣି। ଆଉ ଏଭଳି ନକଲି ପାସପୋର୍ଟ ଧାରୀ ଯେତେଜଣ ଅଛନ୍ତି? ଏହିଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକୁଥିବା ବେଳେ, ପୋଲିସ କିନ୍ତୁ ନିରୁତ୍ତର। ଏହା ଗୁଇନ୍ଦା ବିଭାଗର କାମ କହି ଡିସିପି ମୁହଁ ଫେରାଇ ଦେଇଛନ୍ତି। ଯଦି ଏଭଳି ଅପରାଧିକ କାର୍ଯ୍ୟର ପର୍ଦ୍ଦାଫାଶ କରିବା ହେଉଛି ଗୁଇନ୍ଦା ବିଭାଗର ଦାୟିତ୍ୱ। ତେବେ ଗତ ୨ ଦିନ ହେଲାଣି ପୁରୀଘାଟ ଥାନା ପୋଲିସ ଏତେ ତତ୍ପର କାହିଁକି, ତାକୁ ନେଇ ଅନେକ ପ୍ରଶ୍ନ।