ଯାଜପୁର ୧୩/୦୬: ଯାଜପୁରରେ କଲେରା ଚିହ୍ନଟ ହେବା ପରେ ପ୍ରଶାସନର ବଢିଛି ତପ୍ତରତା । ଏହାରି ଭିତରେ ସାମୂହିକ ସମାବେଶରେ ଭୋଜିର ଆୟୋଜନ ନକରିବାକୁ ପରାମର୍ଶ । ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ । ଫୁଟା ଏବଂ ଫିଲଟର୍ କରାଯାଇଥିବା ପାଣି ପିଇବାକୁ ପରାମର୍ଶ ।
ଯାଜପୁରରେ ୫ ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟ ଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି ।
ଶୁକ୍ରବାର ୪୧ ଝାଡ଼ା ନମୁନା ପରୀକ୍ଷାରେ ୮ଟିରେ କଲେରା ଚିହ୍ନଟ ହୋଇଥିଲା । ଯାଜପୁର ଜିଲ୍ଲାରୁ ଆହୁରି ୨ଶହ ନମୁନା ଯାଇଛି । ବ୍ୟାସନଗର, ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ମାନେ ଚିକିତ୍ସାଧୀନ ଅଛନ୍ତି । ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ । ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଛି ପ୍ରଶାସନ ।