ଭଡ଼ା ଘରେ ବୋମା ବିସ୍ପୋରଣ ଘଟଣା, ଅଞ୍ଚଳରେ ପତିଆରା ବଜାୟ ପାଇଁ ବୋମା ଭିଡ଼ୁଥିବାବେଳେ ଅଘଟଣ ଘଟିଥିବା ନେଇ ଅତିରିକ୍ତ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା

Published By : Prameya-News7 Bureau | June 03, 2025 IST

ସାଲେପୁର: ଗତ ମେ ମାସ ୨୯ ତାରିଖରେ କଟକ ଜିଲ୍ଲା ନେମାଳ ଥାନା ଝାଡେସ୍ୱରପୁର ମଙ୍ଗିଗଡ଼ାରେ ଜଣେ ବ୍ୟକ୍ତି ଘରେ ବୋମା ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଉକ୍ତ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଏସବୁ ଭିତରେ ପ୍ରଶ୍ନ ଉଠିଥିଲା ଏହି ବ୍ୟକ୍ତି ଜଣକ କାହିଁକି ଘରେ ବୋମା ଭିଡ଼ୁଥିଲେ ? ଏମିତିକି ଘଟଣାରେ ପାକିସ୍ତାନୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିଲା। ତେବେ ମଙ୍ଗଳବାର ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାକ୍ରମ ବିଷୟରେ କହିଛନ୍ତି କଟକ ଅତିରିକ୍ତ ଗ୍ରାମାଞ୍ଚଳ ଏସପି ପ୍ରଦୀପ୍ତ କୁମାର ସାହୁ। 

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଦେଇଥିବା ସୂଚନା ଅନୁସାରେ, ମୃତ ଦୁଖା ଓରଫ ମିର୍ଜା ଆକବର ବେଗ୍ ଅପରାଧିକ ଘଟଣା ଘଟାଇ ବମ୍ବେରେ ରହୁଥିବାବେଳେ ଘଟଣାର ଦୁଇ ଦିନ ପୂର୍ବରୁ ଗାଁକୁ ଆସିଥିଲା। ସେ ଅଞ୍ଚଳରେ ନିଜର ପତିଆରା ବଜାୟ ରଖିବାକୁ ଏଭଳି କରୁଥିଲା। ପୂର୍ବରୁ ମଧ୍ୟ ନିଜର ପତିଆରା ବଜାୟ ରଖିବା ପାଇଁ ବୋମା ଭିଡ଼ି ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଏକ ଆମ୍ବୁଲାନ୍ସକୁ ଜାଳିଦେଇଥିଲେ। ଏଥି ସହ ଜଣେ ବ୍ୟବସାୟକୁ ୨ କୋଟି ଚାନ୍ଦା ମାଗିବାର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଗତ ୨୯ ତାରିଖରେ ଏହିଭଳି ଭାବରେ ବୋମା ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା। ବିସ୍ପୋରଣ ଏଭଳି ଥିଲା ଯେ, କୋଠା ଘର ଭାଙ୍ଗି ଚୁର ମାର ହୋଇଯାଇଥିଲା। 

ଘଟଣା ଘଟିବା ପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୋଲିସ ତଦନ୍ତ କ୍ରମେବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଘଟଣା ସ୍ଥଳରୁ ୧୨ ଟି ଜୀବନ୍ତ ବୋମା ଉଦ୍ଧାର କରିଥିଲା। ଆଉ ଏହି ବୋମା ଭିଡ଼ା କାମରେ ସହଯୋଗ କରୁଥିବା ୬ ଜଣ ଅପରାଧୀଙ୍କୁ ପୋଲିସ ଧରିଥିଲା। 

ଯେଉଁ ୬ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ନାମରେ ଏକାଧିକ ଥାନାରେ ମାମଲା ରହିଛି। ସେମାନଙ୍କ ଠାରୁ ୪ କେଜି ବିସ୍ଫୋରକ, ଗୋଟିଏ ବନ୍ଧୁକ, ୮ଟି ମୋବାଇଲ, ଗୋଟିଏ ଖଣ୍ଡା, ୪ଟି ବାଇକ, ୧୨ଟି ଜୀବନ୍ତ ବୋମା ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଗ୍ରାମାଞ୍ଚଳ ଏସ୍‌ପି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.