ଭୁବନେଶ୍ୱର : ବ୍ରେନ୍ ଡେଡ୍ ପରେ ବି ୮ଜଣଙ୍କୁ ବଞ୍ଚାଇ ପାରିବେ ଜଣେ ଅର୍ଗାନ୍ ଡୋନର । ବିଶ୍ୱ ଅର୍ଗାନ୍ ଡୋନେଶନ ଦିବସ ପାଳନ ବେଳେ ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ଏହି ବାର୍ତ୍ତା ପ୍ରଦାନ କରାଯାଇଛି। ହାଇଟେକ୍ ମେଡିକାଲ କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଇଟେକ୍ ମେଡିକାଲ କଲେଜ ୨୦୦୮ରୁ ଅର୍ଗାନ୍ ଡୋନେଶନ ଆରମ୍ଭ କରିଛି। କିଡନୀ, ଚକ୍ଷୁ ଭଳି ଅନେକ ଅଙ୍ଗଦାନ ନିୟମିତ ଭାବେ ହେଉଥିବା ବେଳେ ଆଗକୁ ବ୍ୟାପକ ମାତ୍ରା ରେ କରିବା ପାଇଁ ଆହ୍ବାନ କରାଯାଇଛି।
ଖୁବ୍ ଶୀଘ୍ର ହାଇଟେକ୍ ମେଡିକାଲରେ ୱାର୍ଲ୍ଡ କ୍ଲାସ ଅର୍ଗାନ୍ ଡୋନେଶନ ପାଇଁ ଓଟି ତିଆରି ହେବ ବୋଲି ଏମ ଡି କହିଛନ୍ତି। ୨୦୨୪ ରେ ଏକ ଘରୋଇ ହସ୍ପିଟାଲ ରେ ପୁଅ ସୁଭୋଜିତ୍ ଙ୍କର ୮ ଟି ଅଙ୍ଗ ଦାନ କରିଥିଲେ ବାପା ବିଶ୍ୱଜିତ୍ ସାହୁ। ତେଣୁ ଆଜି ତାଙ୍କୁ ହାଇଟେକ୍ ଗ୍ରୁପ ପକ୍ଷରୁ ସମ୍ମାନିତ କରାଯାଇଥଲା। ସେହିଭଳି କିଡନୀ , ଲିଭର୍ ଦାନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁବି ମଞ୍ଚରେ ସମ୍ମାନ କରାଯାଇଥିଲା।
କଥାରେ ଅଛି ଅଙ୍ଗଦାନ, ମହତ ଦାନ। କାହାର ଆଖି ଆଉ କାହାକୁ ଦେଖାଇପାରେ ଦୁନିଆ। କାହାର ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ। ଅଙ୍ଗଦାନ ସମ୍ପର୍କରେ ସଚେତନା ସୃଷ୍ଟି କରିବା ଏବଂ ଅଙ୍ଗଦାନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରି ଅନ୍ୟର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ‘ବିଶ୍ବ ଅଙ୍ଗଦାନ ଦିବସ’ ଭାବେ ପାଳନ କରାଯାଉଛି।ରକ୍ତ ଦାନ ପରେ ଅଙ୍ଗ ଦାନ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ତେବେ ଅଙ୍ଗଦାନକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତଧାରଣାକୁ ଦୂର କରିବା ହେଉଛି ଏହି ଦିବସର ଲକ୍ଷ୍ୟ।