କେନ୍ଦୁଝର: ଅନ୍ଧ ବିଶ୍ୱାସର କରୁଣ କାହାଣୀ। ମୃତ୍ୟୁ ପରେ ଶବକୁ ମିଳିଲାନି ଚାରି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ଥାନାର ପର୍ଜନପୁର ଗାଁରେ । ସୋମବାର ରାତିରେ ପର୍ଜନପୁର ଗାଁର ବିଦେଶୀ ପାତ୍ରଙ୍କୁ ସାପ ଏକ ବିଷଧର ସାପ କାମୁଡ଼ା ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେବି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଛେଦ କରାଇଥିଲେ ।
ହେଲେ ମେଡିକାଲରେ ଶବ ବ୍ୟବଚ୍ଛେଦ ହେବା ଯୋଗୁ ପରିବାର କିମ୍ବା ସାହି ଭାଇ ମୃତଦେହ ନେବାକୁ ନାରାଜ ହୋଇଥିଲେ । ଏପରିସ୍ଥଳେ ବିଦେଶୀଙ୍କ ଝିଅ ନିରୋଦ ପାତ୍ର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ ଭରଷା ପରିବାର ସଂଗଠନର କିଛି ସଦସ୍ୟ ସେଠାରେ ପହଞ୍ଚି ମୃତ ଦେହକୁ ସସମ୍ମାନରେ ଧାଙ୍ଗଡ଼ପଡ଼ା ସ୍ଥିତ ଆଦର୍ଶ ଶ୍ମଶାନକୁ ନେଇ ଶବ ସତ୍କାର କରିଛନ୍ତି । ଏଘଟଣାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି। ଅନ୍ଧ ବିଶ୍ବାସ ଓ କୁସଂସ୍କାରକୁ ଦୂର କରିବାକୁ ଜିଲ୍ଲାରେ ଏକାଧିକ ସ୍ବେଛାସେବୀ ସଂଗଠନ ଗଠନ କରାଯାଇଥିବାବେଳେ, ସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରଚେଷ୍ଟା କରାଯାଉଛି। ହେଲେ ତଥାପି ସମାଜରୁ ଅନ୍ଧ ବିଶ୍ଵାସ ଦୂର ହୋଇପାରୁନାହିଁ ଯାହାକୁ ନେଇ ଆଦିବାସୀ ସଂଗଠନମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।