ଟ୍ରମ୍ପଙ୍କ ଧମକକୁ ଫୁ: ଭାରତରେ ତିଆରି ୯୭% ଆଇଫୋନ ଆମେରିକା ରପ୍ତାନୀ କଲା ଆପଲ

Published By : Prameya-News7 Bureau | June 13, 2025 IST

internet

ନୂଆଦିଲ୍ଲୀ: ଆପଲକୁ ଟ୍ରମ୍ପଙ୍କ ଧମକ ସତ୍ତ୍ୱେ, ଆମେରିକାରେ ବିକ୍ରି ହେଉଥିବା ପ୍ରାୟ ସମସ୍ତ ଆଇଫୋନ ଭାରତରେ ତିଆରି ହେଉଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ମାର୍ଚ୍ଚରୁ ମେଁ ମାସ ମଧ୍ୟରେ ଆପଲର ପାର୍ଟନର୍‌ ଫକ୍ସନ ଭାରତରୁ ଆମେରିକାକୁ ୯୭% ଆଇଫୋନ ରପ୍ତାନୀ କରିଛି। ଯାହାର ମୂଲ୍ୟ ଥିଲା $ ୩.୨ ବିଲିୟନ (୨୭,୦୦୦ କୋଟି ଟଙ୍କା)। କେବଳ ମେ ମାସରେ, ପ୍ରାୟ $୧ ବିଲିୟନ ଅର୍ଥାତ୍ ୮,୬୦୦ କୋଟିର ଆଇଫୋନ ଆମେରିକାକୁ ପଠାଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପୁଡ଼ିଛି ଯେ କମ୍ପାନୀ ତାର ପୂର୍ବ ଘୋଷଣା ମୁତାବକ କେବଳ ଆମେରିକା ବଜାର ପାଇଁ ଭାରତରେ ଆଇଫୋନ ତିଆରି କରୁଛି।

ଜାନୁଆରୀରୁ ମେ ୨୦୨୫ ପର୍ଯ୍ୟନ୍ତ, ଭାରତରୁ ଆମେରିକାକୁ $୪.୪ ବିଲିୟନ (₹37 ହଜାର କୋଟି) ମୂଲ୍ୟର ଆଇଫୋନ୍ ରପ୍ତାନି ହୋଇଛି। ଏହା ପୂର୍ବରୁ ୨୦୨୪ ର ୩.୭ ବିଲିୟନ ରପ୍ତାନି ହୋଇଥିଲା। ୨୦୨୪ ସୁଦ୍ଧା, ଆମେରିକାରେ ବିକ୍ରି ହେଉଥିବା ୫୦% ଆଇଫୋନ୍ ଭାରତରେ ତିଆରି ହୋଇଥିଲା।

ଆପଲ୍ ଉପରେ ୨୫% ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍ ମେ ୨୩ ତାରିଖରେ ଆପଲ ସିଇଓ ଟିମ୍ କୁକ୍‌ଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ଯେ ଆମେରିକାରେ ବିକ୍ରି ହେଉଥିବା ଆଇଫୋନ୍ ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଆମେରିକାରେ ତିଆରି ହେବା ଉଚିତ। ଏବଂ ଯଦି ଆପଲ ଆମେରିକାରେ ଆଇଫୋନ୍ ତିଆରି ନ କରେ, ତେବେ କମ୍ପାନୀ ଉପରେ ଅତି କମରେ ୨୫% ଶୁଳ୍କ ଲାଗୁ କରାଯିବ ବୋଲି ସେ ଆପଲର ସିଇଓ ଟିମ୍ କୁକ୍‌ଙ୍କୁ କହିଥିବା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲେ। 

ଆପଲ୍ ଭାରତ ଉପରେ ଏତେ ଧ୍ୟାନ କାହିଁକି ଦେଉଛି?  ପଏଣ୍ଟ

• ଯୋଗାଣ ଶୃଙ୍ଖଳା ବିବିଧତା: ଆପଲ୍ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି। ଭୂରାଜନୈତିକ ଉତ୍ତେଜନା, ବାଣିଜ୍ୟ ବିବାଦ ଏବଂ କୋଭିଡ୍ -୧୯ ଲକଡାଉନ୍ ଭଳି ସମସ୍ୟା ଯୋଗୁ, କମ୍ପାନୀ ଅନୁଭବ କରିଛି ଯେ ଗୋଟିଏ ଅଞ୍ଚଳ ଉପରେ ଅତ୍ୟଧିକ ନିର୍ଭର କରିବା ଠିକ୍ ନୁହେଁ। ଏହି ଦୃଷ୍ଟିରୁ, ଭାରତ ଆପଲ୍ ପାଇଁ ଏକ କମ୍ ବିପଦପୂର୍ଣ୍ଣ ବିକଳ୍ପ ପ୍ରମାଣିତ ହେଉଛି।

• ସରକାରୀ ପ୍ରୋତ୍ସାହନ: ଭାରତର ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ (PLI) ଯୋଜନାଗୁଡ଼ିକ ସ୍ଥାନୀୟ ଉତ୍ପାଦନ ବୃଦ୍ଧି କରିବା ପାଇଁ କମ୍ପାନୀଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହି ନୀତିଗୁଡ଼ିକ ଆପଲର ଫକ୍ସକନ୍ ଏବଂ ଟାଟା ଭଳି ପାର୍ଟନର୍ସମାନଙ୍କୁ ଭାରତରେ ଅଧିକ ନିବେଶ କରିବାକୁ ଉତ୍ସାହିତ କରିଛି।

ବଢୁଥିବା ବଜାର ସମ୍ଭାବନା: ବିଶ୍ୱର ଦ୍ରୁତ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ୍ ବଜାର ମଧ୍ୟରୁ ଭାରତ ହେଉଛି ଗୋଟିଏ। ସ୍ଥାନୀୟ ଉତ୍ପାଦନ ଆପଲ୍‌କୁ ଦେଶର ଚାହିଦାକୁ ଭଲ ଭାବରେ ପୂରଣ କରିବାରେ ସାହାଯ୍ୟ କରୁଛି ଏବଂ ଏହାର ବଜାର ଅଂଶ ମଧ୍ୟ ବୃଦ୍ଧି କରୁଛି। ଯାହା ବର୍ତ୍ତମାନ ପ୍ରାୟ ୬-୭% ରହିଛି। 

ରପ୍ତାନି ସୁଯୋଗ: ଆପଲ୍ ଭାରତରେ ନିର୍ମିତ ଏହାର ୭୦% ଆଇଫୋନ୍ ରପ୍ତାନି କରେ, ଯାହା ଚୀନ୍ ତୁଳନାରେ ଭାରତର କମ୍ ଆମଦାନୀ ଶୁଳ୍କରୁ ଲାଭ ପାଏ। ୨୦୨୪ ମସିହାରେ ଭାରତରୁ ଆଇଫୋନ୍ ରପ୍ତାନି $୧୨.୮ ବିଲିୟନ (ପ୍ରାୟ ₹୧,୦୯,୬୫୫ କୋଟି)ରେ ପହଞ୍ଚିଛି। ଆଗାମୀ ସମୟରେ ଏହା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି।

ଦକ୍ଷ କର୍ମଚାରୀ ଏବଂ ଭିତ୍ତିଭୂମି: ଅଭିଜ୍ଞତା ଦୃଷ୍ଟିରୁ ଭାରତର ଶ୍ରମଶକ୍ତି ଚୀନ୍ ଠାରୁ ପଛରେ ଅଛି, କିନ୍ତୁ ଯଥେଷ୍ଟ ଉନ୍ନତି ହେଉଛି। ଆପଲ୍‌ର ପାର୍ଟନରମାନେ, ଯେପରିକି ଫକ୍ସକନ୍, ପ୍ରଡକ୍ସନର ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରମିକମାନଙ୍କୁ ତାଲିମ ଦେଉଛନ୍ତି ଏବଂ କର୍ଣ୍ଣାଟକରେ $୨.୭ ବିଲିୟନ (₹୨୩,୧୩୯ କୋଟି) ପ୍ଲାଣ୍ଟ ଭଳି ସୁବିଧା ବିସ୍ତାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.