ମହାରାଷ୍ଟ୍ର ୨୧/୦୬: ପ୍ରେମ ଦୁଇଟି ମନର ଅକୁହା ଭାଷା । କିଛି ଭାବନାର ପରିପ୍ରକାଶ ତ ଆଉ କିଛି ଶବ୍ଦହୀନ ସଂଜ୍ଞା । ଶାଶ୍ୱତ ପ୍ରେମ ଦେଖେନି ବୟସ । ସେ ଯୁବା ହେଉ ବା ବୟସ୍କ । ପ୍ରକୃତ ପ୍ରେମ ଆଗରେ ହାର୍ ମାନିଯାଏ ପରିସ୍ଥିତି । ଏମିତି ନିଚ୍ଛକ ଭଲପାଇବାର କାହାଣୀ ନଜର ଆସିଛି ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀ ନଗରରେ ।
ଜଣେ ୯୫ ବର୍ଷୀୟ ବୃଦ୍ଧ ସ୍ତ୍ରୀ ପାଇଁ ଦେଖିଥିଲେ କିଛି ସ୍ୱପ୍ନ । ଭାବିଥିଲେ କିଛି ଇଚ୍ଛା ପୂରଣ ବି କରିବେ । ହେଲେ ତାଙ୍କ ଇଚ୍ଛାଶକ୍ତି ଆଗରେ ବାଧକ ସାଜିଥିଲା ଦାରିଦ୍ର୍ୟତା । ତଥାପି ସବୁ ସ୍ଥିତିକୁ ପଛ କରି ସେ ଆଗକୁ ବଢିଥିଲେ । ସ୍ତ୍ରୀ ପାଇଁ ମଗା ଯଚା ଧନ ପହଞ୍ଚିଥିଲେ ଦୋକାନରେ । ପୁଟୁଳିରେ ଥିଲା ପୁଳା ପୁଳା ଚିଲର । ଆସନ୍ତୁ ଜାଣିବା ପୂରା ଘଟଣା ।
ପାଖରେ ନା ଅଛି ବ୍ୟାଙ୍କ ବାଲାନ୍ସ । ନା ଏଟିଏମ୍ରେ ଟଙ୍କା । କିନ୍ତୁ ଏହି ଛଳ ଛଳ ଆଖି ବୟାନ କରୁଛି ବହୁତ କିଛି । ସ୍ପଷ୍ଟ ବାରି ହୋଇ ପଡୁଛି ଅଭାବୀ ମଣିଷର ଝୁଙ୍କ୍ । ବାହା ବେଦୀରେ ଦେଇଥିଲେ ସିନ୍ଦୂର, ଏବେ ଦେବେ ମଙ୍ଗଳସୂତ୍ର । ସେଥିପାଇଁ ଯାହା ଅଛି ଦୋକାନରେ ଦେବି ଜିନିଷ ଆଣିବେ । ମୋ ସ୍ତ୍ରୀ ସୁଖ ମୋ ପାଇଁ ଆଗ, ବାକି ସବୁ ପଛ ।
ଛତ୍ରପତି ସମ୍ଭାଜୀନଗର, ବୟସ୍କ ବୃଦ୍ଧ ଜଣଙ୍କ ସ୍ତ୍ରୀକୁ ଧରି ପହଞ୍ଚିଥିଲେ ଗୁଲମଣ୍ଡିରେ ଥିବା ଅଳଙ୍କାର ଦୋକାନରେ । ସାଙ୍ଗରେ ଆଣିଥିଲେ ଖୁଚୁରା ଓ ନୋଟ୍ ମିଶାଇ ୧୧୦୦ ଟଙ୍କା । ଦମ୍ପତିଙ୍କ ଅସହାୟ ପଣ ଦେଖି ଓଦା ହୋଇଯାଇଥିଲା ଦୋକାନୀଙ୍କ ଆଖି । ୩୦୦୦ ଟଙ୍କାର ଜିନିଷକୁ ଦେଇଦେଲେ ୨୦ ଟଙ୍କାରେ । କାରଣ ବିନା ମୂଲ୍ୟରେ ଜିନିଷ ନେବାକୁ ଗ୍ରହଣ କରିନଥିଲେ ବୃଦ୍ଧା ବୃଦ୍ଧ ।
ମହାରାଷ୍ଟ୍ରର ଜାଲନା ସହରର ମନ୍ଥା ତହସିଲର ଏକ ଛୋଟ ଗାଁର ବାସିନ୍ଦା। ଦମ୍ପତ୍ତି ଚାଷରେ କ୍ଷତି ସହିବା ପରେ, ଜୀବିକା ପାଇଁ ସହରରେ କରୁଥିଲେ ଭିକ୍ଷାବୃତ୍ତି । ନା ରହିବାକୁ ସାହାରା ଥିଲା ନା ପାଖରେ ଅର୍ଥ ଥିଲା । ପ୍ରତିଦିନ ଭିକ୍ଷାବୃତ୍ତି କରି ଖୁଚୁରା ସଂଗ୍ରହ କରନ୍ତି । ପରେ ଗଜାନନ ମହାରାଜ ମନ୍ଦିର ନିକଟରେ ଥିବା ମେଡିକାଲ ଷ୍ଟୋରକୁ ଯାଇ ଛୋଟ ମୁଦ୍ରା ବଦଳାଇ ଆଣନ୍ତି ନୋଟ୍ । ସେଥିରୁ କିଛି ରଖନ୍ତି ପାଖରେ, କିଛି ପଠାଇଦିଅନ୍ତି ଗାଁ ରହୁଥିବା ପୁଅ ପାଖକୁ । ଆଉ ସେହି ଅର୍ଜିତ ଧନରୁ ଏବେ କିଣିଛନ୍ତି ସୁନାର ମଙ୍ଗଳସୂତ୍ର ।
ଛୋଟିଆ ଗହଣା, ସେ ସୁନା ହେଉ ବା ରୂପା । କାହା ପାଇଁ ରଖେ କେତେ ମହତ୍ତ୍ୱ । ଗରୀବରୁ ଧନି ସମସ୍ତଙ୍କ ପ୍ରିୟ । ଯାହା ପାଖରେ ଧନ ଅଛି, ସେ କିଣିବା । କିନ୍ତୁ ପାଖରେ କାଣି କଉଡିଟିଏ ନଥିଲେ ଇଚ୍ଛାଶକ୍ତି ବି କମିଯାଏ ଗହଣା ଟିଏ କିଣିବାକୁ । କିନ୍ତୁ ମଣିଷର ଜିଦ୍ ଆଗରେ ଅସମ୍ଭବ ବି ହୋଇଯାଏ ସମ୍ଭବ । ଏହାର ଜ୍ୱଳନ୍ତି ଉଦାହରଣ ସମ୍ଭାଜୀର ଘଟଣା ।