ମୁମ୍ବାଇ ୪।୮: ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଓ ବମ୍ବେ ହାଇକୋର୍ଟଙ୍କ ଆଦେଶ ପରେ ବୃହନ୍ମୁମ୍ବାଇ ନଗର ନିଗମ (ବିଏମସି) ଦାଦର ପାରାଭାଡିରେ ପାରାମାନଙ୍କୁ ଦାନା ଦେବା ନିଷିଦ୍ଧ କରିଛନ୍ତି। ଅଗଷ୍ଟ ୨ ତାରିଖ ଦିନ ଦାଦର ପାରାଭାଡିକୁ ବିଏମସି ପ୍ଲାଷ୍ଟିକ୍ ର ବଡ ପାଲରେ ଢାଙ୍କି ଦେଇଛି। ଏହି କଟକଣା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଲାଗୁ କରାଯାଇଛି। କାରଣ ଜନଗହଳିପୂର୍ଣ୍ଣ ସହରାଞ୍ଚଳରେ ପାରାଙ୍କ ମଳ ଯୋଗୁ ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ରୋଗ ଓ ସଂକ୍ରମଣର ସମ୍ଭାବନା ରହିଛି।
ବିଏମସି ବମ୍ବେ ହାଇକୋର୍ଟଙ୍କ ଆଦେଶ ପାଳନ ପୂର୍ବକ ଦାଦର ପାରା ଭାଡିରେ ତିଆରି ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି ଓ ପାରାଙ୍କୁ ଖାଇବାକୁ ଦେବାକୁ ରଖା ଯାଇଥିଲା ଶଶ୍ୟ ଜବତ କରିନେଇଛି। ପାରାଙ୍କୁ ଦାନା ପକାଇବା ଉପରେ କଟକଣା ଲାଗୁ ହେବା ପରେ ବିଏମସି ଦାଦର ପାରାଭାଡିରେ ୧୦୦ରୁ ଅଧିକ ଲୋକଙ୍କ ଉପରେ ଜରିମନା କରିଛି। ଆଇନ ଅମାନ୍ୟ କରି ପାରାଙ୍କୁ ଦାନା ପକାଉଥିବା ଲୋକଙ୍କ ବିରୋଧରେ ଏଫଆଇର ରୁଜୁ କରିବାକୁ ଓ ଅପରାଧୀକ ଅଭିଯୋଗ କରିବାକୁ ବମ୍ବେ ହାଇକୋର୍ଟ ବିଏମସିକୁ ଅଧିକାର ଦେଇଛନ୍ତି।
ଏଥିରେ ଯଦି କୌଣସି ବ୍ୟକ୍ତି କଟକଣା ସତ୍ତ୍ୱେ ବାରମ୍ବାର ଆଦେଶ ଉଲ୍ଲଂଘନ କଲେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଏହି କାର୍ଯ୍ୟାନୁଷ୍ଠାନରେ ବିଏମସିକୁ ମୁମ୍ବାଇ ପୋଲିସର ସହଯୋଗ ମଧ୍ୟ ରହିଛି ଓ ଏହି ସବୁ ଜାଗା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ତେବେ ପାରାଙ୍କୁ ଦାନା ଦେବା ପଛରେ ସାଂସ୍କୃତିକ ଓ ଧାର୍ମିକ ଆଧାରରେ ସ୍ଥାନୀୟ ଲୋକେ ବିଏମସିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ତେବେ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ପାଇଁ ତଥା ଜନସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଏହି କାର୍ଯ୍ୟାନୁଷ୍ଠାନ କରିଥିବା ବିଏମସି କହିଛି।
ଏହି କଟକଣା ଦାଦର ସମେତ ମୁମ୍ବାଇର ସମସ୍ତ ପ୍ରମୁଖ ପାରାଭାଡି ପାଇଁ ଲାଗୁ ହେଉଛି ଓ ହାଇକୋର୍ଟ ବିଏମସିକୁ ଏହି କଟକଣା କଡ଼ାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇରେ ମୋଟ ୫୧ଟି ପାରାଭାଡି ରହିଛି, ଏଥିରେ ଦାଦର ର ପ୍ରତିଷ୍ଠିତ ପାରାଭାଡି ବି ଅଛି। ମୁମ୍ବାଇରେ ପାରାଙ୍କୁ ଦାନା ଖୁଆଇବା ଉପରେ କଟକଣା ଲାଗିବା ପରେ ଉପୁଜିଥିବା ପରିସ୍ଥିତିରେ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ମଙ୍ଗଲ ପ୍ରଭାତ ଲୋଢା ମୁମ୍ବାଇ ମ୍ୟୁନିସିପାଲ କମିଶନରଙ୍କୁ ପତ୍ର ଲେଖିଛନ୍ତି।
ଏହି ପତ୍ରରେ ସେ ପକ୍ଷୀ ପ୍ରେମୀ, ଜୈନ ସାଧୁ ଓ ନାଗରିକଙ୍କ ଭାବନାକୁ ଧ୍ୟାନରେ ରଖିବାକୁ ଅନୁରୋଧ କରିଛନ୍ତି। ଏଥିରେ ସେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମଝିରେ କୌଣସି ରାସ୍ତା ବାହାର କରିବାକୁ ଆଗ୍ରହ କରିଛନ୍ତି। ମୁମ୍ବାଇରେ ପାରାଙ୍କୁ ଲୋକେ ଦାନା ପକାଇବା ଆଜିକାଲିର ପରମ୍ପରା ନୁହେଁ ଦୀର୍ଘ ବର୍ଷ ହେଲା ଏହା ଚଳି ଆସୁଛି। ଏଣୁ ଏହାକୁ ନେଇ ଅନେକବାର ବିବାଦ ମଧ୍ୟ ହେଲାଣି। ଭାରତୀୟ ସଂସ୍କୃତିରେ ପକ୍ଷୀଙ୍କୁ ଦାନା ଦେବା ପୁଣ୍ୟ କାର୍ଯ୍ୟ ମନେ କରାଯାଏ।
କୁହାଯାଏ ପକ୍ଷୀଙ୍କୁ ଦାନା ଖୁଆଇଲେ ମୃତ ପୂର୍ବଜଙ୍କ ଆତ୍ମାକୁ ତୃପ୍ତି ମିଳିଥାଏ। ବିଶେଷ କରି ଅମାବାସ୍ୟାରେ ପକ୍ଷୀଙ୍କୁ ଦାନା ଦେବା ଅତ୍ୟନ୍ତ ଶୁଭ ମନେ କରାଯାଏ। ମୁମ୍ବାଇରେ ଗୁଜରାଟି ଓ ଜୈନ ବ୍ୟବସାୟୀ ବହୁଳ ବସବାସ କରନ୍ତି। ଏଣୁ ସାରା ସହରରେ ପାରାଭାଡି ଦେଖାଯାଏ। ଏହି କାରଣରୁ ମୁମ୍ବାଇରେ ପାରାଙ୍କ ସଂଖ୍ୟା ଅଧିକ। ଏଡୱର୍ଡ ହେମିଲ୍ଟନ ଏଟକେନ ୧୯୦୯ରେ ତାଙ୍କ ପୁସ୍ତକ ‘ଦି କମନ ବାର୍ଡସ୍ ଅଫ ବମ୍ବେ’ରେ ସହରରେ ପାରାଙ୍କ ବିଶାଳ ସଂଖ୍ୟାର କାରଣ ଲେଖିଥିଲେ।
ସେହିପରି ବମ୍ବେ ନଗରପାଳିକା ୧୯୪୪ ମସିହାରେ ଦାଦରସ୍ଥିତ ଜୈନ ମନ୍ଦିରକୁ ଏକ ପତ୍ର ଲେଖି ପକ୍ଷୀଙ୍କ ଭୋଜନ ନିମନ୍ତେ ଏକ ଟ୍ରାଫିକ ଆଇଲ୍ୟାଣ୍ଡ ନିର୍ମାଣର ଅନୁମତି ଦେଇଥିଲେ। ଜୈନ ମନ୍ଦିର ପକ୍ଷରୁ ମନ୍ଦିର ପାଖରେ ଦଳଦଳ ହୋଇ ରହୁଥିବା ଓ କାର ଚକ ତଳେ ପଡି ମରୁଥିବା ପାରାଙ୍କ ସୁରକ୍ଷା ପାଇଁ ଏକ ବାଡା ତିଆରି ପାଇଁ ବମ୍ବେ ନାଗର ପାଳିକାକୁ ଏକ ଅନୁରୋଧ କରାଯାଇଥିଲା। ତାର ଜବାବରେ ଏହି ଅନୁମତି ମିଳିଥିଲା।
ତତ୍କାଳୀନ ବମ୍ବେରେ ପାରାଙ୍କୁ ଦାନା ଦେବା ବ୍ୟାପକ ରୂପେ ସ୍ୱୀକୃତ ଥିଲା। ହେଲେ ୯୦ ଦଶନ୍ଧୀ ବେଳକୁ ମେଡିକାଲ ଷ୍ଟଡିଜରେ ପକ୍ଷୀଙ୍କ ମଳ ଯୋଗୁ ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ବେମାରୀ ହେଉଥିବା ଜଣାପଡିବା ପରେ ଏହାକୁ ନେଇ ଚିନ୍ତା ଉପୁଜିଥିଲା।ତେବେ ୨୦୧୪ ମସିହା ବେଳକୁ ସହରରୁ ସବୁ ପାରାଭାଡି ହଟାଇ ଦିଆଯାଇଥିଲା ପାରାଙ୍କୁ ଓ ରାସ୍ତା ଉପରେ ଦାନା ପକାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।