ନୂଆଦିଲ୍ଲୀ : ଆଫଗାନିସ୍ତାନ ଭଳି କିଛି ଦେଶରେ ବାଲ୍ୟ ବିବାହ ମାମଲା କିଛି ନୂଆ ନୁହେଁ। ହେଲେ ନିକଟରେ ଏଠାରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହାକି ମାନବତାକୁ ଲଜ୍ଜିତ କରିଛି। ଆଫଗାନିସ୍ତାନର ହେଲମନ୍ଦ ପ୍ରଦେଶରେ ୪୫ ବର୍ଷିୟ ବ୍ୟକ୍ତି ଜଣେ ୬ ବର୍ଷିୟା ନାବାଳିକାଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡ଼ିଆରେ ନାବାଳିକାଙ୍କର କନ୍ୟା ହେବାର ଫଟୋ ଭାଇରାଲ ହୋଇଛି, ଏହାପରେ ଲୋକଙ୍କ କ୍ରୋଧ ବଢି ଯାଇଛି।
ସୂଚନା ଆଧାରରେ, ଏଠାର ତାଲିବାନୀ ଶାସନ ମଧ୍ୟ ବାଲ୍ୟ ବିବାହକୁ ନେଇ କୌଣସି ଆଇନ୍ ତିଆରି କରି ନାହିଁ। ଏଠାରେ ବିବାହ ପାଇଁ କୌଣସି ଆଇନଗତ ସର୍ବନିମ୍ନ ବୟସ ନିର୍ଦ୍ଧାରିତ କରାଯାଇ ନାହିଁ। ସଂପୃକ୍ତ ନାବାଳିକାଙ୍କୁ ବର୍ତ୍ତମାନ ଘରକୁ ନେଇ ଯିବାକୁ ତାଲିବାନ ବ୍ୟକ୍ତିଙ୍କୁ ରୋକି ଦେଇଛି। ହେଲେ ସରକାର କହିଛନ୍ତି, ୯ ବର୍ଷ ବୟସରେ ନାବାଳିକାଙ୍କୁ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଯାଇ ପାରିବ।
ଯେତେବେଳେ ମାମଲାଟି ବଢିଲା, ନାବାଳିକାଙ୍କ ବାପା ଓ ବରକୁ ଗିରଫ କରାଯାଇଛି। ହେଲେ ଏହି ମାମଲାରେ ତାଙ୍କ ଉପରେ କୌଣସି ମୋକଦମା ରୁଜୁ କରାଯାଇ ନାହିଁ। ମିଡ଼ିଆ ରିପୋର୍ଟ୍ସ ମୁତାବିକ, ସେ ପୂର୍ବରୁ ମଧ୍ୟ ବିବାହ କରି ସାରିଛନ୍ତି। ତୃତୀୟ ବିବାହ କରିବା ପାଇଁ ସେ କଥିତ ଭାବେ ନାବାଳିକାଙ୍କ ପରିବାରକୁ ଟଙ୍କା ମଧ୍ୟ ଦେଇଥିଲେ।
ଏକ ରିପୋର୍ଟ ମୁତାବିକ , ୨୦୨୧ରେ ତାଲିବାନର କ୍ଷମତାକୁ ଫେରିବା ପର ଠାରୁ ବାଲ୍ୟ ବିବାହର ମାମଲାରେ ଖୁବ୍ ବୃଦ୍ଧି ହୋଇଛି। ୟୁଏନ୍ ୱିମେନ ରିପୋର୍ଟ କହିଛି ଯେ, ତାଲିବାନ ଶାସନରେ ବାଲ୍ୟ ବିବାହରେ ୨୫ ପ୍ରତିଶତ ଯାଏ ବୃଦ୍ଧି ହୋଇଛି। ସେପଟେ ୟୁନିସେଫ୍ର ଏକ ଅନୁମାନ ମୁତବିକ ଆଫଗାନିସ୍ତାନରେ ବିଶ୍ୱରେ ସବୁଠୁ ଅଧିକ ବାଲ୍ୟବଧୂ ଅଛନ୍ତି।