ଉମରକୋଟ ୨୮/୦୬: ହସ ଖୁସିରେ ଗଡିଥିଲା କାର୍ । ଗନ୍ତବ୍ୟସ୍ଥଳ ଥିଲା ମାତ୍ର ଅଳପ ଦୂର । ବର୍ଷାର କୋହଲିଆ ସନ୍ଧ୍ୟାକୁ ଗାଡିରେ ବାଜୁଥିଲା ମ୍ୟୁଜିକି । ତିନି ଭାଇ ଗୀତରେ ମଜ୍ଜି ଯାତ୍ରାର ନେଉଥିଲେ ମଜା । ହେଲେ ନିମିଷକେ ସବୁକିଛି ହୋଇଗଲା ଛାର୍ଖାର୍ । ବାଟରେ ଛକି ବସିଥିବା ଯମ ଡାକିନେଇଗଲା ଦୁଇ ଭାଇଙ୍କୁ । ତେବେ ଅନ୍ୟ ଜଣେ ଜୀବନ ମରଣ ସହ ସଂଗ୍ରାମ କଲେ । କିନ୍ତୁ କୁହାଯାଏ ନାଁ ଯେବେ କାଳ ଆସେ ସବୁ କିଛି ସୁଧ ମୂଳ ସହ କରିନିଏ ଅସୁଲ । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ ।
ତିନି, ତିନୋଟି ଶବ ମଶାଣିରେ ଜୁଇ ଜଳିବା ଘଟଣା ଗାଁ ବାସୀଙ୍କୁ କରିଛି ସ୍ତବ୍ଧ । ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ସିରାଗୁଡା ସାହିର ସାଗର ଜୈନ, ପୁଅଙ୍କ ଅଙ୍କୁର ଜୈନ ଏବଂ କ୍ରିସ ଜୈନ ତିନିଭାଇ । ଗୁରୁବାର ସନ୍ଧ୍ୟାରେ କୌଣସି କାମ ପାଇଁ କାର ଯୋଗେ ଯାଉଥିଲେ ପୁଫୁଗାଁ । ଠିକ୍ ଏହି ସମୟରେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇଥିଲା କାର । ଗାଡିଟି ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କାର୍ । ଫଳରେ ଗାଡ଼ିରେ ଯାଉଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଭାଇଙ୍କର ଘଟଣା ସ୍ଥଳରେ ହୋଇଥିଲା ମୃତ୍ୟୁ ।
ତେବେ ତୃତୀୟ ଜଣଙ୍କ କ୍ରିସ୍ ଜୈନଙ୍କ ଅବସ୍ଥା ଥିଲା ସଂକଟାପନ । ବିଶାଖାପାଟଣା ମେଡିକାଲରେ ଚିକିତ୍ସା ପାଇଁ ନେଉଥିବା ବେଳେ ସାଲୁର ଘାଟି ନିକଟରେ ହୋଇଥିଲା କ୍ରିସ୍ଙ୍କ ମୃତ୍ୟୁ । ମରଶରୀର ଫେରାଇ ଝରିଗାଁ ଫେରାଇ ଅଣାଯାଇଥିଲା। ଶୁକ୍ରବାର ସମସ୍ତ ମୃତ୍ୟୁ ୩ ଜଣଙ୍କୁ ଝରିଗାଁ ମେଡିକାଲ ଠାରେ ମୃତଦେହ ବ୍ୟବଛେଦ କରାଇବା ପରେ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ୨ ଭାଇ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଶବ ଏକା ସହିତ ୩ ଟି ଜୁଇ ରେ ଜାଳିବା ଥିଲା ହୃଦୟ ବିଦାରକ । ମୃତ ୩ ଭାଇଙ୍କର ବୟସ ୧୯ ରୁ ୨୨ ବର୍ଷ ହେବ । ଆଉ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର